ଭାରତରେ ନିବେଶ ପାଇଁ ମୋଦିଙ୍କ ଆହ୍ବାନ

କୋପେନହାଗେନ, ୪ା୫: ତିନି ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରଥମ ଥର ପାଇଁ ଡେନ୍‌ମାର୍କରେ ପହଞ୍ଚିଛନ୍ତି। ସେଠାରେ ସେ ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍‌ସେନଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ସହ ଉଭୟ ଦେଶର ହିତରେ ଏକାଧିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଜର୍ମାନୀରୁ ଡେନ୍‌ମାର୍କରେ ପହଞ୍ଚିବା ପରେ ଫ୍ରେଡେରିକ୍‌ସେନ୍‌ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ। ଫ୍ରେଡେରିକ୍‌ସେନ୍‌ ଭାରତ ଗସ୍ତବେଳେ ଉପହାର ଭାବେ ଗ୍ରହଣ କରିଥିବା ଓଡ଼ିଶାର ଏକ ପଟ୍ଟଚିତ୍ର ମୋଦିଙ୍କୁ ଦେଖାଇଥିଲେ। ଭାରତ-ଡେନ୍‌ମାର୍କ ବିଜ୍‌ନେସ ଫୋରମରେ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ନିବେଶ ଆହ୍ବାନ ଦେଇଥିଲେ। ଯେଉଁମାନେ ଏବେ ଭାରତରେ ନିବେଶ କରୁନାହାନ୍ତି ସେମାନେ ସୁଯୋଗ ହାତଛଡ଼ା କରୁଛନ୍ତି ବୋଲି ମୋଦି କହିଥିଲେ। ଡେନ୍‌ମାର୍କ ଗସ୍ତବେଳେ ମୋଦି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ୟୁକ୍ରେନ୍‌ରେ ତୁରନ୍ତ ଯୁଦ୍ଧବିରତି ସହ କୂଟନୈତିକ ରାସ୍ତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପାଇଁ ଆହ୍ବାନ ଦେଇଥିଲେ।

Share