ନୂଆଦିଲ୍ଲୀ, ୨୧।୧୧: ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ଜନାଦେଶ ପାଇ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିମଧ୍ୟରେ ଅନେକ ବିବାଦୀୟ ନୀତି କାର୍ଯ୍ୟକାରୀ କରିବା ସହ କେତେକକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ୩ କୃଷି ଆଇନ ସେଥିରୁ ଅନ୍ୟତମ। ଭାରତର ବିଶାଳ କୃଷି ସେକ୍ଟରକୁ ଘରୋଇ ପୁଞ୍ଜିନିବେଶ ଆକର୍ଷଣ କରିବା ଲକ୍ଷ୍ୟରେ ମୋଦି ୨୦୨୦ରେ ୩ କୃଷି ଆଇନ ଆଣିଥିଲେ। ଏହାକୁ ନେଇ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ଚାଷୀ ଆନ୍ଦୋଳନ ଜାରି ରହିଥିଲା। କୃଷକ ପ୍ରତିନିଧିମାନଙ୍କ ସହ ସରକାରଙ୍କର ଏକାଧିକ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ସମାଧାନର ସୂତ୍ର ବାହାରି ପାରି ନ ଥିଲା। ଆଇନ ପ୍ରତ୍ୟାହାର ଦାବିରେ କୃଷକ ନେତାମାନେ ଅଡ଼ି ବସିଥିଲେ। ଆଗକୁ ପଞ୍ଜାବ, ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଶୁକ୍ରବାର ଗୁରୁ ନାନକଙ୍କ ଜନ୍ମବାର୍ଷିକୀରେ ବିବାଦୀୟ କୃଷି ଆଇନ ରଦ୍ଦ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ମୋଦିଙ୍କ ଅନ୍ୟ ବିବାଦୀୟ ନିଷ୍ପତ୍ତି ମଧ୍ୟରେ ରହିଛି ନାଗରିକତ୍ୱ ଆଇନରେ ପକ୍ଷପାତ ନୀତି। ୨୦୧୯ ଶେଷ ଭାଗରେ ମୋଦିଙ୍କ ହିନ୍ଦୁ ଜାତୀୟତାବାଦୀ ସରକାର ଆଣିଥିବା ନାଗରିକତ୍ୱ ଆଇନକୁ ପାର୍ଲାମେଣ୍ଟର ଅନୁମୋଦନ ମିଳିଥିଲା। ଏଥିରେ ପଡୋଶୀ ଦେଶରୁ ଆସିଥିବା ମୁସଲମାନ ଶରଣାର୍ଥୀଙ୍କୁ ବାଦ୍ ଦିଆଯାଇଥିବାରୁ ଏହା ଭାରତର ଧର୍ମନିରପେକ୍ଷ ନୀତିର ଉଲ୍ଲଂଘନ ବୋଲି ବିରୋଧୀ ସମାଲୋଚନା କରିଥିଲେ। ଉକ୍ତ ଆଇନ ଅନୁଯାୟୀ ୨୦୧୫ ପୂର୍ବରୁ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ପଳାଇ ଆସିଥିବା ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ, ଜୈନ, ପାରସ୍ୟ ଓ ଶିଖ୍ ଧର୍ମାବଲମ୍ବୀମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ଏହାକୁ ବିରୋଧ କରି ସାରା ଦେଶରେ ବିକ୍ଷୋଭ ପ୍ରତିବାଦ କରାଯାଇଥିଲା। ଏହା ବାସ୍ତବରେ ପକ୍ଷପାତିତା ବୋଲି ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା।
ମୋଦି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପୁନର୍ବାର କ୍ଷମତାକୁ ଆସିବା ପରେ ଜମ୍ମୁ-କଶ୍ମୀରକୁ ମିଳିଥିବା ସ୍ବତନ୍ତ୍ର ମାନ୍ୟତା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ସହ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଏହା ବିରୋଧରେ ଆନ୍ଦୋଳନକୁ ଚପାଇ ଦେବା ଲାଗି ବହୁସଂଖ୍ୟାରେ କଶ୍ମୀର ନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା ଏବଂ ହଜାର ହଜାର ସୈନ୍ୟ ଓ ଅର୍ଦ୍ଧସାମରିକ ଯବାନ ପଠାଯାଇ ଜମ୍ମୁ-କଶ୍ମୀରକୁ ଏକପ୍ରକାର ସେନା ଛାଉଣିରେ ପରିଣତ କରାଯାଇଥିଲା।
ଜମି ଅଧିଗ୍ରହଣ ବିଧେୟକ ଉପରେ ବିରୋଧୀ ଦଳଗୁଡ଼ିକର ସମର୍ଥନ ପାଇବାରେ ବିଫଳ ହେବା ପରେ ଜମି କିଣାବିକାକୁ ସହଜ କରିବା ଲାଗି ମୋଦି ୨୦୧୫ରେ ଏକ ଅଧ୍ୟାଦେଶ ଆଣିଥିଲେ। ଅଧ୍ୟାଦେଶ ଅନୁଯାୟୀ ପ୍ରତିରକ୍ଷା ପ୍ରକଳ୍ପ, ଗ୍ରାମାଞ୍ଚଳ ବିଦ୍ୟୁତ୍କରଣ, ଗ୍ରାମାଞ୍ଚଳ ଗୃହନିର୍ମାଣ ଓ ଶିଳ୍ପ କରିଡର ପାଇଁ ଜମି ଅଧିଗ୍ରହଣ କରିବାରେ ପ୍ରଭାବିତ ଜମି ମାଲିକଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ସହମତି ଆବଶ୍ୟକ ହେବ। ଏହାକୁ ଚାଷୀ ଓ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ।
ମୋଦିଙ୍କର ସବୁଠୁ ବିବାଦୀୟ ନିଷ୍ପତ୍ତି ଥିଲା ବିମୁଦ୍ରୀକରଣ। ଦେଶରେ ପ୍ରଚଳିତ ସମସ୍ତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ରଦ୍ଦ ହେଲା ବୋଲି ୨୦୧୬ ନଭେମ୍ବର ୮ ରାତିରେ ମୋଦି ହଠାତ୍ ଘୋଷଣା କରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ। କଳାଧନ ଓ ଜାଲ୍ ନୋଟ ପ୍ରସାରଣ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଗଲା। ଏଭଳି ନିଷ୍ପତ୍ତି ଯୋଗୁ ଦେଶବାସୀ ନାହିଁ ନ ଥିବା ହୀନସ୍ତା ହୋଇଥିଲେ। ନଗଦ ଅର୍ଥ କାରବାର ଉପରେ ନିର୍ଭରଶୀଳ ଅନେକ ବ୍ୟବସାୟ ଭୁଶୁଡ଼ି ପଡ଼ିଥିଲା। ନୋଟବନ୍ଦୀ ନିଷ୍ପତ୍ତି ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିଲା। ନୋଟବନ୍ଦୀ ଜନିତ ବିପର୍ଯ୍ୟୟରୁ ଅର୍ଥନୀତି ସୁଧୁରି ଆସୁଥିବାବେଳେ ଆରମ୍ଭ ହୋଇଗଲା କୋଭିଡ୍-୧୯ ମହାମାରୀ, ଯାହା ପୁଣିଥରେ ଅର୍ଥନୀତିକୁ ସଙ୍କଟ ମଧ୍ୟକୁ ନେଇଗଲା।