Categories: ଜାତୀୟ

ପଶ୍ଚିମବଙ୍ଗ ରାଜନୀତିରେ ମୋଦିଙ୍କ ପ୍ରବେଶ: ବିଶ୍ୱଭାରତୀର ଶତାବ୍ଦୀ କାର୍ଯ୍ୟକ୍ରମରେ ଯୋଗଦେଲେ

କୋଲକାତା,୨୪।୧୨: ଆଗକୁ ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ଯୋଜନାବଦ୍ଧ ଭାବେ ମିଶନ ପଶ୍ଚିମବଙ୍ଗ ଆରମ୍ଭ କରାଯାଇଛି। ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟ ରାଜନୀତିରେ ପ୍ରବେଶ କରିସାରିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟ ରାଜନୀତିରେ ଭାଜପାର ସ୍ଥିତି ସୁଦୃଢ଼ ପାଇଁ ଉଦ୍ୟମ କରିଛନ୍ତି। ଏହି ମର୍ମରେ ମୋଦି ଗୁରୁବାର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତାବ୍ଦୀ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇଛନ୍ତି। ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ସ୍ବପ୍ନ ପୂରଣ ପାଇଁ ବିଶ୍ୱଭାରତୀ ଶକ୍ତି ଯୋଗାଉଥିବା ମୋଦି ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ବିଶ୍ୱବିଦ୍ୟାଳୟର ୧୦୦ ବର୍ଷର ଯାତ୍ରା ବେଶ୍‌ ଐତିହ୍ୟମୟ ରହିଥିବା ସେ କହିଛନ୍ତି। ଦୁର୍ଗାପୂଜା ସମୟରେ ମଧ୍ୟ ମୋଦି ଏଭଳି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟରଙ୍କୁ ଆକର୍ଷିତ କରିବାର ଯୋଜନା କରାଯାଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ୧୯୨୧ରେ ରବୀନ୍ଦ୍ରନାଥ ଟାଗୋରଙ୍କ ଉଦ୍ୟମରେ ବୀରଭୂମ ଜିଲାର ବୋଲପୁର ନିକଟରେ ଥିବା ଶାନ୍ତିନିକେତନଠାରେ ବିଶ୍ୱଭାରତୀର ସ୍ଥାପନା କରାଯାଇଥିଲା। ୧୯୫୧ରେ ସଂସଦର ଏକ ଅଧିନିୟମ ଦ୍ୱାରା ବିଶ୍ୱଭାରତୀକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଥିଲା।

Share