Categories: ଜାତୀୟ

ମୋଦିଙ୍କ ଫିଟ୍‌ ଇଣ୍ଡିଆ ମନ୍ତ୍ର: କଷ୍ଟକର ମନେ ହେଉଥିଲେ ବି ଫିଟ୍‌ ରହିବା ସହଜ

ନୂଆଦିଲ୍ଲୀ, ୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଫିଟ୍‌ ଇଣ୍ଡିଆ ଡାଏଲଗ୍‌ରେ ଗୁରୁବାର ଯୋଗ ଦେଇ କହିଛନ୍ତି ଯେ, ଫିଟ୍‌ ରହିବା କଷ୍ଟକର ମନେ ହେଉଥିଲେ ବି ଏହା ପ୍ରକୃତ ପକ୍ଷେ ସହଜ। ମୋଦିଙ୍କ ଏହି ନୂଆ ଫିଟ୍‌ ଇଣ୍ଡିଆ ମନ୍ତ୍ର ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଭିଡ଼ିଓ କନଫରେନ୍ସିଂ ଡାଏଲଗ୍‌ରେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି, ବଲିଉଡ୍‌ ଅଭିନେତା ମିଲନ୍ଦ ସୋମନ ଏବଂ ଖ୍ୟାତିସମ୍ପନ୍ନ ଡାଏଟିଶିଅନ୍‌ ରଜୁତା ଦଓ୍ବେକର ସାମିଲ ହୋଇଥିଲେ। ଏଥିରେ କ୍ରୀଡ଼ା ମନ୍ତ୍ରୀ କିରେୀନ୍‌ ରିଜିଜୁ ଯୋଗ ଦେଇ ମୋଦିଙ୍କ ସହିତ ସୁସ୍ଥ ରହିବାର ଜୀବନ ଶୈଳୀ ସମ୍ପର୍କରେ ଆଲୋଚନା କରିଛନ୍ତି। ସୁସ୍ଥ ରହିବା ପାଇଁ ଆବଶ୍ୟକ ନିତିଦିନିଆ ଜୀବନଚର୍ଯ୍ୟା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଲୋଚନାରେ ବିରାଟ ନିଜ ଫିଟ୍‌ନେସ୍‌ ରହିବାର ରହସ୍ୟ ମୋଦିଙ୍କୁ ଜଣାଇଥିଲେ। ସେହିପରି ମିଲନ୍ଦ ତାଙ୍କ ମା’ଙ୍କଠାରୁ ଫିଟ୍‌ନେସ୍‌ ରହିବା ଶୈଳୀ ଶିକ୍ଷା କରିଥିବା କହିଥିଲେ। ୮୧ ବର୍ଷରେ ମଧ୍ୟ ତାଙ୍କ ମା’ ଚଳଚଞ୍ଚଳ ରହିଥିବା ସେ ପ୍ରକାଶ କରିଥିଲେ। ପ୍ରତିଦିନ କିଛି ବ୍ୟାୟାମ କରିବା ଦ୍ୱାରା ଜଣେ ସହଜରେ ଫିଟ୍‌ ରହିପାରିବେ ବୋଲି ମୋଦି ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

Share