Categories: ଜାତୀୟ

ସରପଞ୍ଚଙ୍କୁ ମୋଦିଙ୍କ ଚିଠି, ଗାଁରେ ସୃଷ୍ଟି ହେଉ ଯୋଗ ନେଇ ପ୍ରେରଣା…

ନୂଆଦିଲ୍ଲୀ, ୧୧।୬ : ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୨ ପାଳନ କରିବ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଞ୍ଚଙ୍କୁ ଏକ ଚିଠି ଲେଖିଛନ୍ତି। ଯୋଗ କରିବାକୁ ଗ୍ରାମବାସୀଙ୍କୁ ପ୍ରେରଣା ଦେବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆହ୍ବାନ ଦେଇଛନ୍ତି।

ଏହି ଚିଠିକୁ ପଞ୍ଚାୟତିରାଜ ମନ୍ତ୍ରଣାଳୟକୁ ପଠାଯାଇଛି। ଦେଶରେ ପ୍ରାୟ ଅଢ଼େଇ ଲକ୍ଷ ଗ୍ରାମ ପଞ୍ଚାୟତ ଅଛି। ବର୍ତ୍ତମାନ ପଞ୍ଚାୟତିରାଜ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଏହି ଚିଠି ପଠାଉଛନ୍ତି। ଏହା ପରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି ପଠାଯିବ।

ପ୍ରଧାନମନ୍ତ୍ରୀ ଚିଠିରେ ଲେଖିଛନ୍ତି, ସରପଞ୍ଚ ମହାଶୟ, ମୁଁ ଆଶା କରୁଛି ଆପଣ ଏବଂ ଆପଣଙ୍କ ଅଞ୍ଚଳର ସମସ୍ତ ଭାଇ ଓ ଭଉଣୀମାନେ ସୁସ୍ଥ ଏବଂ କୁଶଳରେ ଥିବେ। ମୌସୁମୀ ଦେଶର ଅଧିକାଂଶ ଭାଗରେ ପହଞ୍ଚିଛି ଏବଂ ଆମର ସମସ୍ତ କୃଷକ ଭାଇ ଓ ଭଉଣୀମାନେ ଚାଷ ପ୍ରସ୍ତୁତିରେ ନିୟୋଜିତ ହୋଇଛନ୍ତି। ମୁଁ ଭଲ ମୌସୁମୀର ଆଶା ସହିତ ତୁମ ମାଧ୍ୟମରେ ପ୍ରତ୍ୟେକ ଅନ୍ନଦାତାଙ୍କୁ ପ୍ରଣାମ କରୁଛି।

ଚିଠିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, କିଛି ଦିନ ପରେ, ୨୧ଜୁନ ରେ, ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାକୁ ଯାଉଛି। ଆମେ ସମସ୍ତେ ଦେଖିଛୁ ଯେ ବିଶ୍ୱର ବିଭିନ୍ନ ଦେଶମାନେ କିପରି ଏହି ଦିନକୁ ଉତ୍ସାହର ସହ ପାଳନ କରନ୍ତି। ଏନେଇ ଭାରତ ଗର୍ବିତ। ଆମେ ସମସ୍ତ ଭାରତବାସୀ ଯୋଗ ଦିବସକୁ ସ୍ବତନ୍ତ୍ର ଭାବେ ପାଳନ କରିବାର ପ୍ରୟାସ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

 

Share