ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ୍‌ ଶୋ’:ଏତିକି ବେଳୁ ଆରମ୍ଭ ହେବ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର, ୧୦।୫(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାରଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ରାତି ୮ଟା ୩୦ରେ ଏକ ରୋଡ୍‌ ଶୋ’ କରିବା କାର୍ଯ୍ୟକ୍ରମ ରହିଛି। ରାତି ସାଢେ ୮ ଟାରୁ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଏହି ରୋଡ୍‌ ଶୋ’ ବାହାରିବା କାର୍ଯ୍ୟକ୍ରମ ରହିଛି। ରୋଡ୍‌ ଶୋ’ରେ ମୋଦି ବାଣୀବିହାର ପର୍ଯ୍ୟନ୍ତ ଯିବା କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଜନପଥ(ମାଷ୍ଟରକ୍ୟାଣ୍ଟିନରୁ  ବାଣୀବିହାର ପର୍ଯ୍ୟନ୍ତ)ରେ ଟ୍ରାଫିକ କଟକଣା କମିଶନରେଟ୍‌ ପୋଲିସ ଜାରି ରଖିଛି। ଶୁକ୍ରବାର ଅପରାହ୍ନ ୨ଟାରୁ ରୋଡ୍‌ ଶୋ’ ସରିବା ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନ୍‌ ଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ। ସେହିପରି ଅପରାହ୍ନ ୪ଟାରୁ ରୋଡ୍‌ ଶୋ’ ଶେଷ ହେବା ପର୍ଯ୍ୟନ୍ତ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତା ବନ୍ଦ ରହିବ। ଏହା ସହ ଜନପଥକୁ ସଂଯୋଗ କରୁଥିବା କୌଣସି ଗଳିରୁ ଗାଡ଼ିଗୁଡ଼ିକୁ ରାସ୍ତାକୁ ଛଡ଼ାଯିବନାହିଁ।
ସୂଚନାଯୋଗ୍ୟ, ରାତି ୮ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନପଥ ସ୍ଥିତ ଭାଜପା ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିବେ। ସାଢେ ୮ଟାରୁ ସେ ରୋଡ୍‌ ଶୋ’ ଆରମ୍ଭ କରିବେ। ଏହା ରାତି ପ୍ରାୟ ସାଢେ ୯ଟା ପର୍ଯ୍ୟନ୍ତ ଚାଲିବ ଓ ବାଣୀବିହାର ଛକରେ ଶେଷ ହେବ। ଏଥିଲାଗି ବିଭିନ୍ନ ସ୍କ୍ବାଡ୍‌ ଟିମ୍‌ ମଧ୍ୟ ଭୁବନେଶ୍ୱରଠାରେ ପହଞ୍ଚି  ସୁରକ୍ଷା ବ୍ୟବସ୍ଥା ଠିକ୍‌ ଅଛି ନା ନାହିଁ ତା’ର ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ରାସ୍ତାକଡ଼ରେ ବ୍ୟାରିକେଡ୍‌ ମଧ୍ୟ ଲଗାଇ ଦିଆଯିବା ସାଙ୍ଗକୁ ଚାରିଆଡେ ଭାଜପା ପତାକା ଏବଂ ହୋର୍ଡିଂ ଛାଉଣି ହୋଇଗଲାଣି। ମୋଦିଙ୍କ ରୋଡ୍‌ ଶୋ’ ସମୟରେ ଓଡ଼ିଆ କଳା ଓ ସଂସ୍କୃତିର ଝଲକ୍‌ ଦେଖିବାକୁ ମିଳିବ। ଭାଜପା କାର୍ଯ୍ୟାଳୟରୁ ବାଣୀବିହାର ମଧ୍ୟରେ ୧୦ଟି ସ୍ଥାନରେ ଓଡ଼ିଶା କଳା ଓ ପରମ୍ପରାର ୧୦ଟି ଆଇକନ୍‌ ରହିବ। ଭାଜପା କାର୍ଯ୍ୟାଳୟରେ କୋଣାର୍କ ଚକ୍ର ଓ ବାଣୀବିହାର ଛକରେ ଖଣ୍ଡଗିରି ଐତିହ୍ୟ ସ୍ଥାନିତ ହେବ। ଝାଞ୍ଜ ମୃଦୁଙ୍ଗରେ ମୋଦିଙ୍କୁ ସ୍ବାଗତ କରାଯିବା ସହ ସମ୍ବଲପୁରୀ ଭଳି ଏକାଧିକ ଲୋକନୃତ୍ୟ ପ୍ରଦର୍ଶନ କରାଯିବ ବୋଲି ଜଣାପଡିଛି। ଏହା ପରେ ରାଜଭବନରେ ପ୍ରଧାନମନ୍ତ୍ରୀ ରାତ୍ରିଯାପନ କରିବେ। ଶନିବାର  ସେ ୩ଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମେ ସକାଳ ସାଢେ ୯ଟାରେ କନ୍ଧମାଳ ଷ୍ଟାଡିୟମ ପଡ଼ିଆରେ ଏକ ସମାବେଶରେ ଯୋଗଦେବେ। ସେଠାରୁ ଯାଇ ସାଢେ ୧୧ଟାରେ ବଲାଙ୍ଗୀରରେ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଶେଷରେ ଦିନ ଗୋଟାଏ ବେଳେ ବରଗଡ଼ ଟୋଲ୍‌ଗେଟ୍‌ ପଡ଼ିଆରେ ମୋଦି ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ୨୦୧୯ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରଠାରେ ରୋଡ୍‌ ଶୋ କାର୍ଯ୍ୟକ୍ରମ କରିଥିଲେ। ଏହା ତାଙ୍କର ଭୁବନେଶ୍ୱରରେ ଦ୍ୱିତୀୟ ରୋଡ୍‌ ଶୋ କାର୍ଯ୍ୟକ୍ରମ ହେବ। ତେବେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପାର କେନ୍ଦ୍ରୀୟ ନେତାମାନେ ଘନ ଘନ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଜଣଙ୍କ ପରେ ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସି ଭାଜପା ଓଡ଼ିଶାରେ ସରକାର କରିବାର ଦମ୍ଭୋକ୍ତି ଦେଖାଉଛନ୍ତି। ତେବେ ମୋଦିଙ୍କ ନିର୍ବାଚନୀ ପ୍ରଚାରର ଏହା ଦ୍ୱିତୀୟ ଗସ୍ତ ହେବ। ନିକଟରେ ମୋଦି ଓଡ଼ିଶାରେ ଗୋଟିଏ ରାତି ରହିବା ପରେ ବ୍ରହ୍ମପୁର ଏବଂ ନବରଙ୍ଗପୁରଠାରେ ନିର୍ବାଚନୀ ସଭାରେ ପ୍ରଚାରକରି ଯାଇଥିଲେ।
Share