ମୋଦିଙ୍କ ଆମେରିକା ଗସ୍ତ ହେବ ଐତିହାସିକ: ଆମେରିକୀୟ କଂଗ୍ରେସ ନେତା

ଓ୍ବାଶିଂଟନ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ମାସ ୨୧ରୁ ୨୪ ଆମେରିକା ଗସ୍ତ କରିବେ। ତେବେ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ବହୁ ଆମେରିକୀୟ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଗସ୍ତ ସମୟରେ ମୋଦି ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ସହ ଭାରତୀୟ ବଂଶୋଦ୍ଭବଙ୍କ ସହ ଭାବ ବିନିମୟ କରିବେ।
ଏନେଇ ଆମେରିକାର ପ୍ରତିନିଧି ମାଇକ ଲୋଲର ଟ୍ବିଟର୍‌ରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସେ ମୋଦିଙ୍କୁ ଆମେରିକାରେ ସସମ୍ମାନରେ ସ୍ବାଗତ କରିବେ। ଏହି ରାଜନୈତିକ ଗସ୍ତ ସମୟରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ତାଙ୍କ ସମ୍ବୋଧନକୁ ସେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

ମାଇକ ୨୦୧୬ରେ ମୋଦିଙ୍କ ୱାଶିଂଟନ ଡିସି ଗସ୍ତ ସମୟରେ ଭାରତ-ଆମେରିକା ସମ୍ପର୍କରେ ମୋଦିଙ୍କ ବୟାନକୁ ମନେ ପକାଇଛନ୍ତି। ପାରସ୍ପରିକ ସ୍ବାର୍ଥ ଏବଂ ଗଣତନ୍ତ୍ର ପ୍ରତି ପ୍ରତିବଦ୍ଧତା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି।

ସେହିପରି ଭାରତୀୟ-ଆମେରିକୀୟ କଂଗ୍ରେସ ନେତା ଶ୍ରୀ ଥାନେଦର ମୋଦୀଙ୍କ ଆମେରିକା ଗସ୍ତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହି ଗସ୍ତ ଆମେରିକା ଏବଂ ଭାରତ ସମ୍ପର୍କକୁ ମଜବୁତ କରିବ।

Share