ଆତ୍ମବିଶ୍ୱାସ ଅଛି, ଯେତେବେଳେ ତୁମେ ୯୧୧କୁ ଡାଏଲ କରିବ ସେତେବେଳେ…

ନୂଆଦିଲ୍ଲୀ/ମାଲେ,୧୧ା୮: ମାଳଦ୍ୱୀପର ମୁଖ୍ୟ ବିରୋଧୀ ଦଳ (ମାଳଦ୍ୱୀପ ଡେମୋକ୍ରାଟିକ୍‌ ପାର୍ଟି) ଭାରତ ପ୍ରତି ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ମନୋଭାବରେ ନମନୀୟତାକୁ ସ୍ବାଗତ କରିଛନ୍ତି। ମୁଇଜୁଙ୍କ ନେତୃତ୍ୱରେ ସରକାରଙ୍କ ଦ୍ୱାରା ଭାରତର ନୀତିରେ ହଠାତ୍‌ ପରିବର୍ତ୍ତନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମାଳଦ୍ୱୀପ ଡେମୋକ୍ରାଟିକ୍‌ ପାର୍ଟି କହିଛି। ଏମ୍‌ଡିପିର ଅଧ୍ୟକ୍ଷ ଅବଦୁଲ୍ଲା ଶାହିଦ ଶନିବାର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଭେଟିଥିଲେ।

ଅବଦୁଲ୍ଲା ଜୟଶଙ୍କରଙ୍କୁ ଭେଟିବା ପରେ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଅବଦୁଲ୍ଲା ଲେଖିଛନ୍ତି, ‘ମାଳଦ୍ୱୀପକୁ ଭାରତୀୟ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‌ ଜୟଶଙ୍କରଙ୍କ ଗସ୍ତକୁ ସ୍ବାଗତ। ଆମେ ନିଶ୍ଚିତ ଯେ, ଯେତେବେଳେ ମାଳଦ୍ୱୀପ ଇଣ୍ଟରନ୍ୟାଶନାଲ ୯୧୧କୁ ଡାଏଲ କରେ, ଭାରତ ପ୍ରଥମେ ଏହାର ଜବାବ ଦେଇଥାଏ।

ଅବଦୁଲ୍ଲା ମଧ୍ୟ ମୁଇଜୁ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି, ‘ଏମଡିପି’ ଏହାର ଅଧିକାରୀଙ୍କ କାର୍ଯ୍ୟକଳାପ, ମିଥ୍ୟା ଏବଂ ଦାୟିତ୍ୱହୀନ ବିବୃତ୍ତି ପାଇଁ ମୁଇଜୁ ସରକାରଙ୍କ ତରଫରୁ ଜନସାଧାରଣ କ୍ଷମା ମାଗିଛନ୍ତି। ଏହି ଦାୟିତ୍ୱହୀନ ବିବୃତ୍ତି ପାଇଁ ମାଳଦ୍ୱୀପ ବୈଦେଶିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ବହୁ କ୍ଷତି ସହିଛି।

ଅବଦୁଲ୍ଲା, ‘ମୁଇଜୁ ସରକାର ଆକ୍ରମଣାତ୍ମକ ମନୋଭାବ ସହ ଭାରତ ବିରୋଧୀ ଭାବନାକୁ ଉତ୍ସାହିତ କରିବା ଆରମ୍ଭ କରିଥିଲେ। ତଥାପି ବର୍ତ୍ତମାନର ସରକାରଙ୍କ ମାଳଦ୍ୱୀପ-ଭାରତ ନୀତିରେ ହଠାତ୍‌ ପରିବର୍ତ୍ତନକୁ ଆମେ ସ୍ବାଗତ କରୁଛୁ, ଯାହା ପୂର୍ବ ଇଣ୍ଡିଆ ଆଉଟ୍‌ ନୀତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଗତ ବର୍ଷ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ତିକ୍ତତା ଦେଖାଦେଇଥିଲା।

ମାଳଦ୍ୱୀପର ରାଷ୍ଟ୍ରପତି ଭାରତକୁ ତାଙ୍କର ନିକଟତମ ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ‘ଭାରତ-ମାଳଦ୍ୱୀପର ଐତିହାସିକ ଏବଂ ଘନିଷ୍ଠ ସମ୍ପର୍କ ରହିଛି।’ ଏହା ସହିତ ସେ କହିଛନ୍ତି ଯେ, ଏହି ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ତାଙ୍କ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

Share