‘ସୁପରଷ୍ଟାର ସିଙ୍ଗର ୨’ର ବିଜେତା ହେଲେ ମହମ୍ମଦ ଫୈଜ

ମୁମ୍ବାଇ: ମ୍ୟୁଜିକ ରିୟଲିଟି ଶୋ’ ‘ସୁପରଷ୍ଟାର ସିଙ୍ଗର ୨’ର ବିଜେତା ହୋଇଛନ୍ତି ମହମ୍ମଦ ଫୈଜ । ଯୋଧପୁର, ରାଜସ୍ଥାନର ମହମ୍ମଦ ଫୈଜଙ୍କୁ ଟ୍ରଫି ସହ ନଗଦ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଗ୍ରାଣ୍ଡ ଫିନାଲେରେ ଟପ ୬ ଜଣଙ୍କ ମଧ୍ୟରେ ଥିବା ମଣି, ଆର୍ଯ୍ୟନନ୍ଦା, ପ୍ରାଞ୍ଜଳ, ଋତୁରାଜ ଓ ସାୟିଶାଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି ଫୈଜ । ଏହା ପୂର୍ବରୁ ବି ମହମ୍ମଦ ଫୈଜ ୨୦୧୮ରେ ‘ଲଭ ମି ଇଣ୍ଡିଆ କିଡସ୍‌’ ଓ ‘ସାରେଗାମା ଲିଟିଲ ଚାମ୍ପିୟାନ’ର ଉପ ବିଜେତା ରହି ସାରିଛନ୍ତି ।
ମହମ୍ମଦ ଫୈଜଙ୍କ ଜେଜେ, ଅଜା ଏମାନେ ସମସ୍ତେ ସଙ୍ଗିତରେ ରୁଚି ରଖନ୍ତି । ତେଣୁ ସଙ୍ଗିତର ପରିବେଶରେ ବଢିଥିବାରୁ ତାଙ୍କର ସଙ୍ଗିତ ପ୍ରତି ପିଲାଦିନରୁ ଦୁର୍ବଳତା ଥିବା ସେ କହିଛନ୍ତି । ପ୍ରଥମେ ଗୀତକୁ ମନେ ରଖି ଗାଇବା ପାଇଁ ତାଙ୍କୁ ୧୦ ଟଙ୍କା ମିଳିବା କଥା ବି ସେ କହିଛନ୍ତି, ଯାହା ତାଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଥିଲା । ଭଗବାନ ଶ୍ରୀକୃଷ୍ଣଙ୍କୁ ଭଲ ପାଉଥିବା ଫୈଜ ଏବେ ନବମ ଶ୍ରେଣୀର ଛାତ୍ର । ଶୋ’ ସମୟରେ ସେ ସ୍କୁଲରୁ ଦୂରରେ ଥିଲେ ବି ଅନଲାଇନ କ୍ଲାସ କରୁଥିବା କହିଛନ୍ତି । ଏହାସହ ସେ ସାଙ୍ଗମାନଙ୍କୁ ବହୁତ ମିସ୍ କରିଥିବାରୁ ପ୍ରଥମେ ଯୋଧପୁର ପହଞ୍ଚି ସେ ସାଙ୍ଗମାନଙ୍କୁ ଭେଟିବେ ବୋଲି କହିଛନ୍ତି । ଜିତିଥିବା ଟ୍ରଫି ତାଙ୍କର ଓ ନଗଦ ରାଶି ସେ ତାଙ୍କ ମାତା ପିତାଙ୍କୁ ଦେବେ ବୋଲି କହିଛନ୍ତି । ତେବେ ସଙ୍ଗିତ ପାଇଁ ରିଆଜ୍ ଜରୁରୀ ବୋଲି କହିଛନ୍ତି ଫୈଜ ।

Share