Categories: ଖେଳ

ମାଥ୍ୟୁସଙ୍କ ସମର୍ଥନରେ ବାହାରିଲେ ଏହି ଭାରତୀୟ କ୍ରିକେଟର, ଶାକିବଙ୍କ ଅପିଲକୁ କହିଲେ ଲଜ୍ଜାଜନକ

ନୂଆଦିଲ୍ଲୀ,୭।୧୧: ବିଶ୍ୱକପ୍‌ ୨୦୨୩ର ଟାଇମ୍‌ ଆଉଟ୍‌ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ କୈଫ। ଏହି ମାମଲାରେ ସେ ଶ୍ରୀଲଙ୍କା ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସଙ୍କୁ ସମର୍ଥନ ଜଣାଇଛନ୍ତି। ଏପରିକି ଶାକିବ ଅଲ ହସନଙ୍କ ଏଭଳି କାର୍ଯ୍ୟକୁ ସେ ଲଜ୍ଜାଜନକ ବୋଲି ମଧ୍ୟ କହିଛନ୍ତି।

କ୍ରିକେଟ ଇତିହାସରେ କେବେ ଦେଖାଯାଇ ନ ଥିବା ଏକ ବିଚିତ୍ର ଘଟଣାକ୍ରମରେ ବାଲାଂଦେଶ ଅଧିନାୟକ ଶାକିବ ଅଲ ହସନଙ୍କ ଅପିଲ ପରେ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌ ହେବା ନେଇ ଆଉଟ୍‌ କରି ଦିଆଯାଇଥିଲା। ଏହାକୁ ନେଇ କୈଫ କହିଛନ୍ତି, ‘ମୁଁ କହିବି ଯେ ଶାକିବ ଯାହା କିଛି ବି କରିଛନ୍ତି ତାହା ବହୁତ ଲଜ୍ଜାଜନକ ଥିଲା। ନିୟମ ଅନେକ କିଛି କୁହେ। ସେ ବ୍ୟାଟିଂ କରିବାକୁ ଆସିଥିଲେ। ଖେଳକୁ ରୋକିବାକୁ ସେ ଚାହୁଁ ନ ଥିଲେ। ସେ ହେଲମେଟର ଷ୍ଟ୍ରିପ୍‌ଟିକୁ ଟାଣିବା ବେଳେ ତାହା ଛିଡ଼ି ଯାଇଥିଲା। ସେ ୧୦ ସେକେଣ୍ଡ ପୂର୍ବରୁ ମଇଦାନକୁ ଆସିଥିଲେ। ଗୋଟିଏ ମିନିଟ ଏବଂ ୫୦ ସେକେଣ୍ଡ ଯାଏ ସେଠାରେ ଛିଡ଼ା ହୋଇଥିଲେ। ହେଲେ ସେ ଗାର୍ଡ ନେଇ ନ ଥିଲେ। ବିନା ଗାର୍ଡରେ ବ୍ୟାଟିଂ କରିବା ବ୍ୟାଟ୍ସମ୍ୟାନ୍‌ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।’

ପ୍ରକାଶ ଯେ, ଶ୍ରୀଲଙ୍କା ଇନିଂସର ୨୫ତମ ଓଭରରେ ଘଟିଥିଲା। ଶାକିବ ନିଜ ଓଭରର ଦ୍ୱିତୀୟ ବଲ୍‌ରେ ସାଦିରା ସମରଓ୍ବିକ୍ରମଙ୍କୁ ଆଉଟ୍‌ କରିଥିଲେ। ଏହାପରେ ମାଥ୍ୟୁସ ମଇଦାନକୁ ଆସିଥିଲେ। ହେଲେ ସେ ଖେଳିବା ପୂର୍ବରୁ ପିନ୍ଧିଥିବା ହେଲମେଟର ପଟି ଛିଡ଼ି ଯାଇଥିବା ଜାଣିବାକୁ ପାଇଥିଲେ। ସେ ଅମ୍ପାୟାରଙ୍କଠାରୁ ଅନୁମତି ନ ନେଇ ନୂଆ ହେଲମେଟ ମଗାଇଥିଲେ। ନିୟମ ମୁତାବକ ଖେଳାଳିଙ୍କୁ ୨ ମିନିଟ୍‌ ଭିତରେ ଷ୍ଟ୍ରାଇକ୍‌ରେ ଆସିବାକୁ ପଡ଼ିଥାଏ। ଏହି ମାମଲାରେ ଚତୁର୍ଥ ଅମ୍ପାୟାରଙ୍କ ମୁତାବିକ ହେଲମେଟ ଆଣିବା ପୂର୍ବରୁ ମାଥ୍ୟୁସ ବିଳମ୍ବ କରିଥିଲେ। ହେଲେ ମାଥ୍ୟୁସ ଏହାକୁ ସ୍ବୀକାର କରିନାହାନ୍ତି। ସେ ଭିଡିଓ ସାକ୍ଷ୍ୟ ଶେୟାର କରି ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।

Share