Advertisement
Categories: ଖେଳ

ମହମୁଦୁଲ୍ଲାଙ୍କୁ କରୋନା

ଢାକା: କୋଭିଡ୍‌ ଟେଷ୍ଟରେ ବାଂଲାଦେଶର ଅନ୍ତର୍ଜାତୀୟ ଟି୨୦ ଅଧିନାୟକ ମହମୁଦୁଲ୍ଲାଙ୍କର ପଜିଟିଭ ଆସିଛି। ଫଳରେ ସେ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ପ୍ଲେଅଫ୍‌ ଖେଳିବାରୁ ବଞ୍ଚତ୍ତ ହେବେ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ୩୪ ବର୍ଷୀୟ ଏହି ପୁରୁଖା ଅଲରାଉଣ୍ଡର ରବିବାର ରାତିରେ ବିମାନ ଯୋଗେ ଦୁବାଇ ବାଟ ଦେଇ ପାକିସ୍ତାନ ଗସ୍ତ କରିଥାନ୍ତେ। କୋଭିଡ୍‌ ରିପୋର୍ଟରେ ପଜିଟିଭ ପରେ ସେ ତାଙ୍କ ଗସ୍ତକ୍ରମକୁ ବାତିଲ କରି ବର୍ତ୍ତମାନ ସେଲ୍ଫ ଆଇସୋଲେଶନରେ ଅଛନ୍ତି। ଆହୁରି ମଧ୍ୟ ନଭେମ୍ବର ୨୧ କିମ୍ବା ୨୨ରୁ ହେବାକୁଥିବା ବଙ୍ଗବନ୍ଧୁ ଟି୨୦ କପ୍‌ରେ ତାଙ୍କର ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ମହମୁଦୁଲ୍ଲାଙ୍କର ଖୁବ୍‌ ଶୀଘ୍ର ଦ୍ୱିତୀୟ ଟେଷ୍ଟ ହେବ। ମହମୁଦୁଲ୍ଲା ପିଏସ୍‌ଏଲ୍‌ ଟେବୁଲ ଟପ୍ପର ମୁଲ୍‌ତାନ ସୁଲ୍‌ତାନ୍ସ ଦଳରେ ମୋଇନ ଅଲିଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଯୋଗଦେଇଥାନ୍ତେ। ବାଂଲାଦେଶ ସରକାରଙ୍କ ନିୟମାନୁସାରେ ବିଦେଶ ଗସ୍ତ ବେଳେ ଯାତ୍ରୀଙ୍କୁ ଦେଶ ଛାଡ଼ିବା ବେଳେ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ ହାସଲ କରିବାକୁ ହେବ। ପିଏସ୍‌ଏଲ୍‌ଏଫ୍‌ ପ୍ଲେଅଫ୍‌ରେ ବିଦେଶୀ ଖେଳାଳିଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଯୋଗ ଦେବାକୁ ମହମୁଦୁଲ୍ଲା ଓ ତାମିମ ଇକବଲଙ୍କୁ ଡାକରା ହୋଇଥିଲା। ତାମିମ୍‌ ମଙ୍ଗଳବାର ପାକିସ୍ତାନ ଗସ୍ତ କରିବେ ବୋଲି ଆଶା କରାଯାଉଛି। ଏହି ବାମହାତି ଖେଳାଳି ଖ୍ରିସ୍‌ ଲିନ୍‌ଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଲାହୋର କଲନ୍ଦର୍ସ ଦଳରେ ଯୋଗ ଦେବେ। ୨୦୨୦ ପିଏସ୍‌ଏଲ୍‌ ପ୍ଲେଅଫ୍‌ ନଭେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଖେଳାଯିବ। କରୋନା ଭାଇରସ୍‌ ଦେଖାଦେବା ପରେ ଚଳିତ ବର୍ଷ ପ୍ରାରମ୍ଭରେ ଟୁର୍ନାମେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel