ମହମ୍ମଦ ବିନ୍‌ ସଲମାନ ସାଉଦି ପ୍ରଧାନମନ୍ତ୍ରୀ

ରିୟାଧ୍‌, ୨୯ା୯: ସାଉଦି ଆରବ କିଙ୍ଗ୍‌ ସଲ୍‌ମାନ ବିନ୍‌ ଅବଦୁଲାଜିଜ୍‌ ଅଲ୍‌ ସାଉଦ୍‌ କ୍ୟାବିନେଟରେ ଅଦଳବଦଳ କରି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌(ଏମ୍‌ବିଏସ୍‌)ଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେହିପରି ସାଉଦି ପ୍ରିନ୍ସ ଖଲିଦ୍‌ ବିନ୍‌ ସଲମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଛି। ମନ୍ତ୍ରୀମଣ୍ଡଳରେ ଏହି ପରିବର୍ତ୍ତନ ତଥା କ୍ଷମତା ହସ୍ତାନ୍ତର ପଛର କାରଣ ବିଷୟରେ ସୂଚନା ଦିଆଯାଇନାହିଁ। ବିଶ୍ୱର ସର୍ବାଧିକ ତୈଳ ଉତ୍ପାଦନକାରୀ ଦେଶ ସାଉଦିଆରବର ପ୍ରକୃତ ଶାସକ ପ୍ରିନ୍ସ ମହମ୍ମଦଙ୍କୁ ହିଁ ବୁଝାଏ।

ତେବେ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଶାସନରେ ତାଙ୍କ ଭୂମିକାକୁ ବିଧିବଦ୍ଧ କରିବ। ପୂର୍ବରୁ କ୍ରାଉନପ୍ରିନ୍ସ ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତ ହୋଇଥିଲେ। ୩୭ ବର୍ଷୀୟ ଏମ୍‌ବିଏସ୍‌ ପ୍ରଧାନମନ୍ତ୍ରୀ ହେବା ଦ୍ୱାରା ଦେଶର ଉଦାର ଛବି ବଢ଼ିବା ସମ୍ଭାବନା ରହିଛି। ୨୦୧୭ରେ ସେ କ୍ରାଉନ୍‌ ପ୍ରିନ୍ସ ହେବା ପରେ ତାହା ଦେଖିବାକୁ ମଧ୍ୟ ମିଳିଥିଲା। କିଛି ବର୍ଷ ମଧ୍ୟରେ ଏମ୍‌ବିଏସ୍‌ଙ୍କ କେତେକ ନିଷ୍ପତ୍ତି ଯୋଗୁ ସେ କଠୋରପନ୍ଥୀଙ୍କ ଟାର୍ଗେଟରେ ମଧ୍ୟ ଅଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ଏମ୍‌ବିଏସ୍‌ ଉଚିତ ଢଙ୍ଗରେ ଶାସନ କରିବା ସହ ଉଦାରବାଦୀ ନୀତି ପ୍ରଣୟନ କରିପାରନ୍ତି ବୋଲି ଆଶା କରାଯାଉଛି।

୨୦୧୬ ଏପ୍ରିଲରେ ପ୍ରିନ୍ସ ମହମ୍ମଦ ଭିଜନ-୨୦୩୦ ଘୋଷଣା କରିଥିଲେ। ୩ ମହାଦେଶକୁ ସଂଯୋଗ ସହ ସାଉଦିଆରବକୁ ଇସ୍‌ଲାମିକ ଏବଂ ଆରବ ଓ୍ବାଲର୍‌ଡର ଇନ୍‌ଭେଷ୍ଟମେଣ୍ଟ ପାଓ୍ବାର ହାଉସ୍‌ କରିବା ନିମନ୍ତେ ସେ ଲକ୍ଷ୍ୟ ରଖିଛନ୍ତି। କିଛି ଦିନ ପୂର୍ବରୁ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସାକ୍ଷାତ କରି ଓ୍ବାଶିଂଟନ୍‌ ସହ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବା ଦିଗରେ ଆଲୋଚନା କରିଥିଲେ।

Share