Categories: ଖେଳ

ଏକଦା ୨୪ ମହଲାରୁ ଡେଇଁ ଆତ୍ମହତ୍ୟା କରିଦେବେ ବୋଲି ଚିନ୍ତାରେ ରହୁଥିଲେ ପରିବାର, ଏବେ ପାଲଟିଲେ ଦେଶର ସବୁଠୁ ବଡ଼ ‘ହିରୋ’

ନୂଆଦିଲ୍ଲୀ,୧୬।୧୧: ବିଶ୍ୱକପ୍‌ ସେମିଫାଇନାଲରେ ଇତିହାସ ରଚିଛନ୍ତି ଭାରତୀୟ ତାରକା ବୋଲର ମହମ୍ମଦ ଶାମି। ବ୍ୟକ୍ତିଗତ ଜୀବନ ଏବଂ କ୍ରିକେଟର ଭାବେ କ୍ରମାଗତ ଭାବେ ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିଥିବା ଶାମି ଏବେ ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଦିନ ଥିଲା ସେ ଆତ୍ମହତ୍ୟା କରିନେବେ ବୋଲି ଚିନ୍ତା କରୁଥିଲେ। ତାଙ୍କୁ ହରାଇବା ଭୟରେ ପରିବାରଲୋକେ ତାଙ୍କୁ ଜଗି ରହୁଥିଲେ। ହେଲେ ଏବେ ସମୟ ବଦଳିବା ସହ ବଦଳିଛି ଶାମିଙ୍କ ଭାଗ୍ୟ।

ଗତ କିଛି ବର୍ଷ ମଧ୍ୟରେ ଶାମି ଅନେକେ ବିବାଦ ଏବଂ ଅଭିଯୋଗରେ ଫସିଥିଲେ। ଉକ୍ତ ସମୟରେ ଥରେ କି ଦୁଇ ଥର ନୁହେଁ ବରଂ ତିନି ଥର ସେ ଆତ୍ମହତ୍ୟା କରିଦେବେ ବୋଲି ଭାବିଥିଲେ। ୨୦୧୫ ବିଶ୍ୱକପ୍‌ ପରେ ଆହତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରୁଥିବା ଶାମିଙ୍କ ବ୍ୟକ୍ତିଗତ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା। ହେଲେ ପରିବାରର ସହଯୋଗ ଯୋଗୁ ସେ ସମୟ ସହ ଲଢ଼ି ଏବେ ନିଜ ଭାଗ୍ୟ ନିଜ ହାତରେ ଲେଖୁଛନ୍ତି।

୨୦୨୦ରେ କରୋନା ସମୟରେ ରୋହିତ ଶର୍ମାଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭ୍‌ରେ ଶାମି ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିବା ପ୍ରସଙ୍ଗରେ ଖୁଲାସା କରିଥିଲେ। ଯଦି ପରିବାରଲୋକେ ସାଙ୍ଗରେ ଛିଡ଼ା ହୋଇ ନ ଥାନ୍ତେ ତେବେ ସେ କ୍ରିକେଟ ଛାଡ଼ି ଦେଇଥାନ୍ତେ। କାରଣ ମାନସିକ ସ୍ଥିତିକୁ ଦେଖି ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ସହ ସବୁବେଳେ ରହୁଥିଲେ। ୨୪ ମହଲାରେ ଘର ଥିବାରୁ ସେ କାଳେ ଡେଇଁ ପଡ଼ିବେ ବୋଲି ସେମାନେ ଭାବୁଥିଲେ ବୋଲି ଶାମି କହିଥିଲେ। ଯେଉଁମାନେ ତାଙ୍କ କଠିନ ସମୟରେ ତାଙ୍କ ସହ କାନ୍ଥ ଭଳି ରହିଥିଲେ ସେମାନଙ୍କୁ ସେ କଦାପି ଭୁଲି ପାରିବେ ନାହିଁ ବୋଲି ମଧ୍ୟ କହି ଭାବବିହ୍ବଳ ହୋଇଥିଲେ।

ତେବେ ବୁଧବାର ମୁମ୍ବାଇରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ସେ ଜାହିର ଖାନ୍‌ଙ୍କ ରେକର୍ଡ ଭାଙ୍ଗିଥିଲେ। ସେ ୫୭ ରନ୍‌ ଦେଇ ୭ ଉଇକେଟ ନେଇ ଭାରତୀୟ ଟିମ୍‌ ଦ୍ୱାରା ସର୍ବାଧିକ ଉଇକେଟ ନେବାର ରେକର୍ଡ ନିଜ ନାମରେ କରିଥିଲେ। ଏଯାବତ ଟୁର୍ନାମେଣ୍ଟରେ ସେ ୬ ମ୍ୟାଚ୍‌ରେ ୨୩ ଉଇକେଟ ନେଇଛନ୍ତି।

Share