Categories: ଖେଳ

ପାକିସ୍ତାନୀଙ୍କ ଉପରେ ବର୍ଷିଲେ ଶାମି: କହିଲେ ‘ସେମାନେ କେବଳ ଚୁଗୁଲି କରିବାକୁ ଭଲ ପାଆନ୍ତି, ହେଲେ ମୁଁ…’

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପାଇଁ ଗତ ୨ ମାସ ସ୍ମରଣୀୟ ଥିଲା। ବିଶ୍ୱକପ୍‌ ୨୦୨୩ର ପ୍ରାରମ୍ଭିକ ୪ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ସତ୍ତ୍ୱେ ଶାମି ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରି ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ। ଦଳକୁ ଫାଇନାଲରେ ପ୍ରବେଶ କରାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗୋଟିଏ ପଟେ ଶାମିଙ୍କ ପ୍ରଦର୍ଶନକୁ ନେଇ ପ୍ରଶଂସକ ଖୁସିବ୍ୟକ୍ତ କରୁଥିବା ବେଳେ ପାକିସ୍ତାନ ପକ୍ଷରୁ ଘୃଣା ମନ୍ତବ୍ୟ ଦିଆଯାଉଛି। ଏମିତି ଏକ ମିଥ୍ୟା ଖବରକୁ ନେଇ ଏବେ ଶାମି କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ପାକିସ୍ତାନବାସୀଙ୍କୁ କେବଳ ଚୁଗୁଲି କରି ଆସେ ବୋଲି ସେ କହିଛନ୍ତି।

ବିଶ୍ୱକପ୍‌ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଶାମି ୫ ଉଇକେଟ ହାସଲ କରିଥିଲେ। ୫ମ ଉଇକେଟ ନେବା ପରେ ଶାମି ମଇଦାନରେ ଆଣ୍ଠୁମାଡ଼ି ମୁଣ୍ଡ ନୁଆଁଇ ବସିଥିଲେ। ତାଙ୍କ ଉଭୟ ହାତ ଭୂଇଁରେ ଲାଗିଥିଲା। ଏହାପରେ ହଠାତ ସେ ଉଠି ଯାଇଥିଲା। ଏହି ଫଟୋକୁ ପାକିସ୍ତାନୀ ଗଣମାଧ୍ୟମ ସହ ପ୍ରଶଂସକ ଭାଇରାଲ କରି କହିଥିଲେ ଯେ ଶାମି ପ୍ରାର୍ଥନା କରିବାକୁ ଚାହୁଁଥିଲେ ହେଲେ ଭାରତରେ ଥିବାରୁ ସେଭଳି କରିପାରି ନ ଥିଲେ।

ଦୀର୍ଘ ଏକ ମାସ ଧରି ଏହି ମାମଲାରେ ଚୁପ୍‌ ରହିଥିଲେ ଶାମି। ହେଲେ ଏବେ ଏକ ସାକ୍ଷାତକାରରେ ସେ ଜବାବ ରଖି କହିଛନ୍ତି, ଯଦି ତାଙ୍କୁ ପ୍ରାର୍ଥନା (ସଜ୍‌ଦା) କରିବାର ହୋଇଥାନ୍ତା ସେ ନିଶ୍ଚେ କରିଥାନ୍ତେ। କେହି ବି ତାଙ୍କୁ ଅଟକାଇ ନ ଥାନ୍ତେ। ସେ ମୁସଲମାନ ସହ ଭାରତୀୟ ହୋଇଥିବାରୁ ଗର୍ବ କରନ୍ତି। ସେ ଯେତେବେଳେ ଯେଉଁଠି ବି ହେଉ ନା କାହିଁକି, ଭାରତର କୌଣସି ମଞ୍ଚରେ ପ୍ରାର୍ଥନା କରିପାରିବେ। ତାଙ୍କୁ କେହି ରୋକି ପାରିବେ ନାହିଁ ବୋଲି ସେ କହିଛନ୍ତି।

ଏହାଛଡ଼ା ଯଦି ପ୍ରାର୍ଥନା କରିବା ଲାଗି କାହାଠାରୁ ଅନୁମତି ନେବାକୁ ପଡ଼ିଥାନ୍ତା ତେବେ ସେ ଭାରତରେ ରହି ନ ଥାନ୍ତେ। ପାକିସ୍ତାନୀମାନଙ୍କର ଚିନ୍ତା କେବଳ ବିଭ୍ରାନ୍ତ କରିବାର ଥାଏ। ସେମାନେ ଚୁଗୁଲି କରିବାକୁ ଭଲ ପାଆନ୍ତି। ପୂର୍ବରୁ ସେ ଅନେକ ଥର ୫ ଉଇକେଟ ନେଇଛନ୍ତି, କେହି ବି ତାଙ୍କୁ ପ୍ରାର୍ଥନା କରିବାର ଦେଖିଛନ୍ତି କି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। କେବଳ ଥକି ଯାଇଥିବାରୁ ସେ ଆଣ୍ଠୁମାଡ଼ି ବସି ଯାଇଥିଲେ ବୋଲି କହିଛନ୍ତି।

Share