Categories: ଖେଳ

ମ୍ୟାଚ୍‌ ପୂର୍ବରୁ ମା’ଙ୍କୁ ମାଗିଥିଲେ ଏହି ଜିନିଷ: ସେହି ଦମ୍‌ରେ ଦଳକୁ ବିପଦରୁ କଲେ ରକ୍ଷା

ହାଇଦ୍ରାବାଦ୍‌,୧୯।୧: ହାଇଦ୍ରାବାଦରେ ରୋହିତ ଶର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ଜିତିଛି। ୩୫୦ ରନ ସ୍କୋର କରିବା ସତ୍ତ୍ୱେ ଭାରତ ମାତ୍ର ୧୨ ରନରେ ଜିତିଥିଲା। ଭାରତର ଏହି ବିଜୟରେ ଶୁବମନ ଗିଲଙ୍କ ଦ୍ୱିଶତକ ଯେତିକି ଗୁରୁତ୍ୱପୂର୍ଣ୍ଣ, ମହମ୍ମଦ ସିରାଜଙ୍କ ଅବଦାନ ମଧ୍ୟ ବେଶ୍‌ ଥିଲା। ସେ ତାଙ୍କ ଘରୋଇ ମାଟିରେ ଚମତ୍କାର ବୋଲିଂ କରି ୪ଟି ଉଇକେଟ ମଧ୍ୟ ନେଇଥିଲେ। ସେ ନିଜ ବୋଲିଂରେ ଭାରତକୁ ବିପଦରୁ ରକ୍ଷା କରିଥିଲେ।
ମ୍ୟାଚ ପୂର୍ବରୁ ସିରାଜଙ୍କୁ ଏକ ଅସ୍ତ୍ର ମିଳିଥିଲା, ଯାହା ଆଧାରରେ ସେ ହାଇଦ୍ରାବାଦରେ ଅସୁବିଧାରେ ପଡ଼ିଥିବା ଦଳକୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ କରିଥିଲେ। ସେହି ଅସ୍ତ୍ରଟି ମାତା ଶବାନା ବେଗମଙ୍କ ଆଶୀର୍ବାଦ ଥିଲା। ମ୍ୟାଚ ପୂର୍ବରୁ ଦଳର ଅଭ୍ୟାସ ଅଧିବେଶନରେ ମଧ୍ୟ ସିରାଜ ଅଂଶଗ୍ରହଣ କରି ନ ଥିଲେ। ସେ ସାଙ୍ଗ ଏବଂ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ।
ପୁଅର ମ୍ୟାଚ ଖେଳିବା ପାଇଁ ସିରାଜଙ୍କ ମା, ଭଉଣୀ ଏବଂ ଘନିଷ୍ଠ ବନ୍ଧୁମାନେ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ମା’ ଏବଂ ଭଉଣୀ ପାଇଁ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ। ଯେତେବେଳେ ବି ସିରାଜ ବୋଲିଂ କରିବାକୁ ଆସିଲେ, ତାଙ୍କ ନାମ ଷ୍ଟାଡିୟମରେ ପ୍ରତିଧ୍ୱନିତ ହେବାକୁ ଲାଗିଥିଲା। ଏହା କୌଣସି ମା’ ପାଇଁ ଗର୍ବର ବିଷୟ। ସିରାଜଙ୍କ ମା’ଙ୍କ ଆଖି ଖୁସିର ଲୁହରେ ଭରିଯାଇଥିଲା।
ଏକ ସାକ୍ଷାତକାରରେ ସିରାଜଙ୍କ ମା’ କହିଛନ୍ତି, ସୋମବାର ହଠାତ୍‌ ଟିମ ହୋଟେଲରୁ ସିରାଜ ଘରକୁ ଆସିଥିଲେ। ପ୍ରଥମେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। କାରଣ ସେ କହିଥିଲେ ମଙ୍ଗଳବାର ଆସିବେ। ପୂର୍ବରୁ ଆସିଥିବାରୁ ଆମେ ତାଙ୍କ ପାଇଁ କୌଣସି ବିଶେଷ ଖାଦ୍ୟ ପ୍ରସ୍ତୁତ କରି ନ ଥିଲୁ। ସେଥିପାଇଁ ମୁଁ ପ୍ରଥମେ ଏହି ତାଙ୍କୁ ଗାଳି ଦେଲି। ମୁଁ କହିଲି ତୁ କାଇଁ ହଠାତ୍‌ ଆସିଲୁ। ମୁଁ ବିଶେଷ କିଛି ରାନ୍ଧି ପାରିଲି ନାହିଁ। ପରେ ସେ କହିଥିଲେ, ତୁମର ଆଶୀର୍ବାଦ ଦିଅ, ତାହା କେବଳ ମୋ ପାଇଁ ଯଥେଷ୍ଟ। ମୁଁ ତରବରିଆ ଭାବେ ତା’ର ପ୍ରିୟ ଖେଚୁଡି ତିଆରି କଲି।

Share