Categories: ଖେଳ

ମେଲବୋର୍ନରେ ଟେଷ୍ଟ ଡେବ୍ୟୁ କରି ଭାବବିହ୍ବଳ ହେଲେ ଏହି କ୍ରିକେଟର: ବାପାଙ୍କ ମୃତ୍ୟୁ ପରେ ବି ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନ ଥିଲେ

ମେଲବୋର୍ନ,୨୬।୧୨: ବିଶ୍ୱର ପ୍ରତ୍ୟେକ କ୍ରିକେଟ ଖେଳାଳି ଦିନେ ନା ଦିନେ ଦେଶ ପାଇଁ ଟେଷ୍ଟ କ୍ରିକେଟ ଖେଳିବାକୁ ସ୍ବପ୍ନ ଦେଖିଥାନ୍ତି। ଏହା ପୂରଣ ହେବା ବେଶ୍‌ ଖୁସି ଦେଇଥାଏ। ହେଲେ ହାଇଦ୍ରାବାଦର ୨୬ ବର୍ଷୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ କ୍ଷେତ୍ରରେ ତାହା ହୋଇନାହିଁ। ଏଠାରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଭାରତ ପକ୍ଷରୁ ଟେଷ୍ଟ ଡେବ୍ୟୁ କରୁଥିବା ସିରାଜ ଶନିବାର ଭାବବିହ୍ବଳ ହୋଇଛନ୍ତି।

ନିଜ ବାପାଙ୍କ ସହ ସିରାଜ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିବାର ସ୍ବପ୍ନ ଦେଖିଥିଲେ। ହେଲେ ପୁଅର ଏହି ସ୍ବପ୍ନ ପୂରଣ ହେବା ବେଳକୁ ବାପା ଆଉ ନାହାନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ପହଞ୍ଚିବାର କିଛି ଦିନ ପରେ ସିରାଜଙ୍କ ବାପାଙ୍କ ନିଧନ ହୋଇଥିଲା। କରୋନା ପ୍ରୋଟୋକଲ କାରଣରୁ ସେ ମରଶରୀରରେ କାନ୍ଧ ଦେବାକୁ ମଧ୍ୟ ସିରାଜ ପହଞ୍ଚିପାରି ନ ଥିଲେ।

ଫୁସ୍‌ଫୁସ୍‌ ସମସ୍ୟାରେ ପୀଡ଼ିତ ଥିଲେ ସିରାଜଙ୍କ ବାପା ମହମ୍ମଦ ଗୌସ। ୫୩ ବର୍ଷ ବୟସରେ ହାଇଦ୍ରାବାଦରେ ତାଙ୍କର ନିଧନ ହୋଇଥିଲା। ଏହା ଜଣାପଡ଼ିବା ପରେ ବିସିସିଆଇ ତାଙ୍କୁ ସ୍ବଦେଶ ଫେରିବାର ବିକଳ୍ପ ଦେଇଥିଲା। ହେଲେ ସେ ଅଷ୍ଟ୍ରେଲିଆରେ ରହିବାର ନିଷ୍ପତ୍ତି ନେଇଥିଲେ। ଅଧିନାୟକ ବିରାଟ ତାଙ୍କୁ ସାନ୍ତ୍ୱନା ଦେଇ ମଜଭୂତ ହେବାକୁ କହିଥିଲେ। ତୁମେ ଭାରତ ପାଇଁ ଖେଳ ବୋଲି ବାପା ଚାହୁଁଥିଲେ। ତାହା ହିଁ କର ବୋଲି ବିରାଟ ପରାମର୍ଶ ମଧ୍ୟ ଦେଇଥିଲେ। ଶୁକ୍ରବାର ଭାରତ ଏକାଦଶ ଘୋଷଣା ହେବା ପରେ ସିରାଜଙ୍କ ଉକ୍ତ ସ୍ବପ୍ନ ପୂରଣ ହୋଇଛି।