Categories: ଜାତୀୟ

୨୪ ଦିନ ପରେ ଜେଲ୍‌ରୁ ବାହାରିଲେ ମହମ୍ମଦ ଜୁବୈର

ଲକ୍ଷ୍ନୌ,୨୦।୫:ଏକାଧିକ ମାମଲାରେ ଫସିଥିବା ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈର ଦୀର୍ଘ ୨୪ ଦିନ ପରେ ବୁଧବାର ଜେଲରୁ ମୁକ୍ତ ହୋଇଛନ୍ତି। ଜୁବୈରଙ୍କୁ ରାତି ପ୍ରାୟ ଆଠଟା ବେଳେ ତିହାର ଜେଲରୁ ବାହାରକୁ ଅଣାଯାଇଥିଲା। ତାଙ୍କ ନାଁରେ ୟୁପିର ବିଭିନ୍ନ ସ୍ଥାନରେ ରୁଜୁ ହୋଇଥିବା ୬ଟି ଯାକ ମାମଲାରେ ଆଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।
ଜୁବୈରଙ୍କୁ ଜୁନ ୨୭ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ୨୦୧୮ର ଗୋଟିଏ ଟୁଇଟ୍‌ ପାଇଁ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କ ନାଁରେ ଆଉ ୭ଟି ଏଫଆଇଆର ଉତ୍ତର ପ୍ରଦେଶରେ ରୁଜୁ ହୋଇଥିଲା। କିଛି ଦିନ ତଳେ ସୁପ୍ରିମକୋର୍ଟ ଜୁବୈରଙ୍କୁ ଦିଲ୍ଲୀ ଓ ଉତ୍ତର ପ୍ରଦେଶର ଗୋଟିଏ ଏଫଆଇଆର ମାମଲାରେ ଜାମିନ ଦେଇଥିଲେ। ଆଜି ବାକି ସମସ୍ତ ମାମଲାରେ ତାଙ୍କୁ ଜାମିନ ମିଳିଛି।
ୟୁପିରେ ତାଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ସୁପ୍ରିମକୋର୍ଟ ଦିଲ୍ଲୀକୁ ସ୍ଥାନାନ୍ତରଣ ମଧ୍ୟ କରିଛନ୍ତି। ସେହିପରି ଜୁବୈରଙ୍କ ବିରୋଧରେ ତଦନ୍ତ ପାଇଁ ଗଠନ ହୋଇଥିବା ଏସଆଇଟିକୁ କୋର୍ଟ ଭାଙ୍ଗି ଦେଇଛନ୍ତି। ଯଦି ଆଗକୁ ଜୁବୈରଙ୍କ ନାଁରେ କୌଣସି ଏଫଆଇଆର ରୁଜୁ ହେବ, ତା’ହେଲେ ବି ତାଙ୍କର ଅନ୍ତରୀଣ ଜାମିନ କାଏମ ରହିବ। ସେ ଯଦି ଚାହିଁବେ, ତା’ହେଲେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରି ଏଫଆଇଆର ରଦ୍ଦ ପାଇଁ ନିବେଦନ କରିପାରିବେ। ଆଜି କୋର୍ଟ ତାଙ୍କୁ ୨୦,୦୦୦ ଟଙ୍କାର ମୁଚାଲିକାରେ ସମସ୍ତ ୬ ମାମଲାରେ ଜାମିନ ଦେଇଛନ୍ତି।

 

Share