Categories: ଜାତୀୟ

ସାବଧାନ କଲେ ମୋହନ ଭାଗବତ: ଏକଜୁଟ୍‌ ହେଉଛନ୍ତି ପାକିସ୍ତାନ-ବାଂଲାଦେଶ

ନାଗପୁର,୧୨।୧୦: ବିଜୟାଦଶମୀ ଅବସରରେ ନାଗପୁରର ରେଶମ ବାଗ ପଡିଆରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନର ମୁଖ୍ୟ ମୋହନ ଭଗବତ ‘ଶସ୍ତ୍ର ପୂଜନ’ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିକ କରି ସେ କହିଛନ୍ତି, ବାଂଲାଦେଶରେ ଆଲୋଚନା ଚାଲିଛି ଯେ, ପାକିସ୍ତାନ ନିକଟରେ ପରମାଣୁ ଅସ୍ତ୍ର ଥିବାରୁ ଭାରତ ବିରୋଧରେ ଏହାକୁ ପ୍ରୟୋଗ କରାଯିବା ଉଚିତ୍‌। ବାଂଲାଦେଶ ଏବଂ ପାକିସ୍ତାନରେ ମଧ୍ୟ ହିନ୍ଦୁମାନେ ସଂଗଠିତ ହେବା ଉଚିତ୍‌।

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ମୋହନ ଭାଗବତ କହିଛନ୍ତି, ସ୍ଥାନୀୟ କାରଣରୁ ବାଂଲାଦେଶରେ ହିଂସାତ୍ମକ ଘଟଣା ହୋଇଥିଲା। ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି। ସେହି ଅତ୍ୟାଚାରକୁ ବିରୋଧ କରି ସେଠାରେ ଥିବା ହିନ୍ଦୁ ସମ୍ପ୍ରଦାୟ ଏଥର ସଂଗଠିତ ହୋଇ ନିଜକୁ ରକ୍ଷା କରିବା ପାଇଁ ଘରୁ ବାହାରକୁ ଆସିବା ଉଚିତ୍‌। କିନ୍ତୁ ଯେପର୍ଯ୍ୟନ୍ତ ଏହି ଅତ୍ୟାଚାରକାରୀ ମୌଳିକବାଦୀ ଗୋଷ୍ଠୀ ସେଠାରେ ଅଛନ୍ତି, ସେଠାରେ ଥିବା ହିନ୍ଦୁମାନଙ୍କ ସମେତ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ମୁଣ୍ଡ ଉପରେ ବିପଦର ଖଣ୍ଡା ଝୁଲି ରହିବ।

ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ ସେ କହିଛନ୍ତି, ବାଂଲାଦେଶରୁ ଭାରତକୁ ବେଆଇନ ଅନୁପ୍ରବେଶ ଏବଂ ଜନସଂଖ୍ୟା ଅସନ୍ତୁଳନ ଗୁରୁତର ବିଷୟ ପାଲଟିଛି। ଏହି ଅନୈତିକ ଅନୁପ୍ରବେଶ ଯୋଗୁ ଦେଶର ପାରସ୍ପରିକ ସମନ୍ବୟ ଏବଂ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ଅସଂଗଠିତ ଏବଂ ଦୁର୍ବଳ ରହିବା ଦୁଷ୍ଟମାନଙ୍କ ଦ୍ୱାରା ଅତ୍ୟାଚାରକୁ ନିମନ୍ତ୍ରଣ କରିବା। ଏହି ଶିକ୍ଷାକୁ ସମଗ୍ର ବିଶ୍ୱରେ ହିନ୍ଦୁ ସମାଜ ମଧ୍ୟ ଗ୍ରହଣ କରିବା ଉଚିତ୍‌। କେଉଁ ଦେଶ ଭାରତ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି ତାହା କହିବା କୌଣସି ଆବଶ୍ୟକତା ନାହିଁ। ସରକାରଙ୍କୁ ମଧ୍ୟ ଏ ବିଷୟରେ ଚିନ୍ତା କରିବାକୁ ପଡ଼ିବ।

Share