ମୋହନ ମାଝି ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୬(ସୁନିତ୍‌ ମିଶ୍ର): ଓଡ଼ିଶାର ୧୪୭ ବିଧାନସଭା ଆସନ ମଧ୍ୟରୁ ୭୮ଟିରେ ବିଜୟୀ ହୋଇ ଭାଜପା ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ସମର୍ଥ ହୋଇଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ମଙ୍ଗଳବାର ସନ୍ଧ୍ୟାରେ ଅବସାନ ଘଟିଛି। ଭାଜପାର ନବନିର୍ବାଚିତ ବିଧାୟକମାନଙ୍କୁ ନେଇ ଦଳର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନିମନ୍ତେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ସେହିପରି ବଲାଙ୍ଗୀର ଜିଲାର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ଦଳର ପ୍ରମୁଖ ନେତ୍ରୀ ତଥା ପୁରୀ ଜିଲା ନିମାପଡ଼ା ବିଧାନସଭା ଆସନରୁ ନିର୍ବାଚିତ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ଓଡ଼ିଶାରେ ମଧ୍ୟ ଭାଜପା ୨ ଉପମୁଖ୍ୟମନ୍ତ୍ରୀ ଫର୍ମୂଲା ଆପଣାଇଛି। ଏହାସାଙ୍ଗକୁ ଉତ୍ତର, ଉପକୂଳ ଓ ପଶ୍ଚିମ ଓଡ଼ିଶା ଭଳି ଆଞ୍ଚଳିକ ସନ୍ତୁଳନ ଏବଂ ଆଦିବାସୀ, ମହିଳା ଓ ସାଧାରଣ ବର୍ଗ ଆଦି ସାମାଜିକ ସମୀକରଣକୁ ପ୍ରମୁଖ ପଦବୀରେ ଗୁରୁତ୍ୱ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଉତ୍ସୁକତା ଲାଗି ରହିଥିବାବେଳେ ବିଧାୟକ ଦଳ ବୈଠକରେ ନୂଆ ନେତା ଚୟନ ପାଇଁ ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଥିଲା। ବୈଠକ ପରେ ରାଜନାଥ ସିଂ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ନାମ ଘୋଷଣା କରିଛନ୍ତି। ସେ ବୁଧବାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେନ୍ଦୁଝର ସଦର ଆସନରୁ ମୋହନ ୨୦୦୦, ୨୦୦୪, ୨୦୧୯ ଏବଂ ୨୦୨୪ରେ ବିଜୟୀ ହୋଇଛନ୍ତି। ଭାଜପା-ବିଜେଡି ମେଣ୍ଟ ସରକାରରେ ସେ ୨୦୦୫ରୁ ୨୦୦୯ ଯାଏ ସରକାରୀ ଦଳର ଉପମୁଖ୍ୟ ସଚେତକ ଭାବେ କାର୍ଯ୍ୟ ତୁଲାଇଥିଲେ। ସେହିପରି ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ସେ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଜଣେ ପ୍ରମୁଖ ଆଦିବାସୀ ନେତା ଭାବେ ବେଶ୍‌ ପରିଚିତ ମୋହନ ଶିଶୁମନ୍ଦିର ଗୁରୁଜୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୭ରେ ସେ ରାଇକଳା ପଞ୍ଚାୟତର ସରପଞ୍ଚ ହୋଇ ରାଜନୈତିକ ଜୀବନରେ ଅଗ୍ରସର ହୋଇଥିଲେ। ମଙ୍ଗଳବାର ବିଧାୟକ ଦଳ ବୈଠକ ପରେ ସେ ରାଜଭବନ ଯାଇ ରାଜ୍ୟରେ ନୂଆ ସରକାର ଗଠନ ଲାଗି ରାଜ୍ୟପାଳ ରଘୁବର ଦାସଙ୍କୁ ଲିଖିତ ଭାବେ ଦାବି ଜଣାଇଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଭୂପେନ୍ଦ୍ର ଯାଦବ, ଧର୍ମେନ୍ଦ୍ର ପ୍ରଧାନ,
ଅଶ୍ୱିନୀ ବୈଷ୍ଣବଙ୍କ ସମେତ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂଦେଓ, ବୈଜୟନ୍ତ ପଣ୍ଡା, ସୁରମା ପାଢ଼ୀ ପ୍ରମୁଖ ମଧ୍ୟ ରାଜଭବନ ଯାଇଥିଲେ। ଭୁବନେଶ୍ୱର ଜନତା ମଇଦାନରେ ବୁଧବାର ଅପରାହ୍ନ ୪ଟା ୪୫ ମିନିଟ୍‌ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୋହନ, କନକ ବର୍ଦ୍ଧନ ଏବଂ ପ୍ରଭାତୀଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ନେବେ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା, କେତେଜଣ କେନ୍ଦ୍ରମନ୍ତ୍ରୀ, ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ।
ପୂର୍ବରୁ ଜୁନ୍‌ ୧୦ ତାରିଖରେ ନୂଆ ସରକାର ଶପଥ ନେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ୧୨ ତାରିଖକୁ ଘୁଞ୍ଚାଯାଇଥିଲା। ଏହିକ୍ରମରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ଏକ ଘରୋଇ ହୋଟେଲକୁ ଯାଇଥିଲେ। ସେଠାରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ବିଧାୟକ ସୁରେଶ ପୂଜାରୀ, ଜୟନାରାୟଣ ମିଶ୍ର, କନକ ବର୍ଦ୍ଧନ ସିଂଦେଓ, ଏମ୍‌ପି ସଙ୍ଗୀତା ସିଂଦେଓ, ବିଧାୟକ ମାନସ କୁମାର ଦତ୍ତ, ବାବୁ ସିଂ ପ୍ରମୁଖ ଆଲୋଚନା କରିଥିଲେ। ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ଦୁଇ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟର ୩ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍‌ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ।
ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ପାଇଁ ଜନତା ମଇଦାନରେ ସବୁ ପ୍ରକାର ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇସାରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅନ୍ୟ କେତେଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଏହି ଶପଥ ଉତ୍ସବରେ ଯୋଗଦେବେ। ଅନ୍ୟପଟେ ମଙ୍ଗଳବାର ରାତିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଦଳର ବରିଷ୍ଠ ପଦାଧିକାରୀ ଓ ନବନିର୍ବାଚିତ ବିଧାୟକ ଦଳ ନେତାଙ୍କ ବୈଠକ ବସି ମନ୍ତ୍ରିମଣ୍ଡଳର ସଦସ୍ୟ ଚୟନ କରାଯିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ସମୀକରଣ ଓ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ମନ୍ତ୍ରୀ ଚୟନ କରାଯିବ ବୋଲି ସୂଚନା ମିଳିଛି।
ବିଜେଡି ସହ ମେଣ୍ଟ ଥିବା ସମୟରେ ଭାଜପାର ଓଡ଼ିଶା ଶାସନରେ ଅନୁଭୂତି ରହିଛି। ଏବେ ମୋହନ ମାଝିଙ୍କ ନେତୃତ୍ୱରେ ଭାଜପା ପ୍ରଥମ କରି ଏକୁଟିଆ ସରକାର ଗଠନ କରିବାକୁ ଯାଉଛି। ସେହିପରି ଜଣେ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡ଼ାଙ୍କୁ ବିଧାୟକ ଦଳ ପକ୍ଷରୁ ଚୟନ କରାଯାଇଛି। ସେ ପ୍ରଥମ ଥର ଲାଗି ନିମାପଡା ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂଦେଓଙ୍କୁ ଦଳ ବାଛିଥିବା ବେଳେ ସେ ପାଟଣାଗଡ଼ ବିଧାନସଭା ଆସନରୁ ୬ଥର ବିଜୟୀ ହୋଇଛନ୍ତି। ରାଜ୍ୟରେ ୨୦୦୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ଚାଲିଥିବା ମେଣ୍ଟ ସରକାର ସମୟରେ କନକ ବର୍ଦ୍ଧନ ସିଂଦେଓ ନଗର ଉନ୍ନୟନ ମନ୍ତ୍ରୀ ଭାବେ କ୍ୟାବିନେଟ୍‌ ପାହ୍ୟାରେ କାର୍ଯ୍ୟ ତୁଲାଇଥିଲେ। ଅନ୍ୟପକ୍ଷରେ ମୋହନ ମାଝି, ପ୍ରଭାତୀ ଏବଂ କନକବର୍ଦ୍ଧନଙ୍କୁ ଦଳମତ ନିର୍ବିଶେଷରେ ଶୁଭେଚ୍ଛାର ସୁଅ ଛୁଟିଛି।

Share