ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଏଭଳି କାର୍ଯ୍ୟ କରିବାକୁ ଯାଉଛନ୍ତି ମୋହନ ମାଝୀ

ସମ୍ବଲପୁର,୭।୯ (ଭବାନୀ ଶଙ୍କର ଭୋଇ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୮ ତାରିଖ ସମ୍ବଲପୁର ଗସ୍ତରେ ଆସି ନୂଆଖାଇ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ମୁଖ୍ୟମନ୍ତ୍ରୀ ୮ ତାରିଖ ପୂର୍ବାହ୍ନ ୧୧ଟା ୩୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବିମାନ ଯୋଗେ ବାହାରି ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବେ। ଅପରାହ୍ନ ୧ଟା୧୦ରେ ସମଲେଇ ମନ୍ଦିରରେ ପହଞ୍ଚି ମା’ ସମଲେଇଙ୍କୁ ଦର୍ଶନ କରିବା ସହ ନବାନ୍ନ ଭକ୍ଷଣ କରିବା କାର୍ଯ୍ୟକ୍ରମ ରହିଛି। ୩ଟା ୩୫ରେ ମାରୱାଡି ଯୁବାମଞ୍ଚ ଦ୍ୱାରା ରିଭର ଇନ୍‌ଠାରେ ଆୟୋଜିତ ନୂଆଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମରେ ସାମିଲ ହେବେ। ଅପରାହ୍ନ ୪ଟା୧୫ରେ ମୁଖ୍ୟମନ୍ତ୍ରୀ ତପସ୍ବିନୀ ହଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାର ଉଦ୍‌ଘାଟନ କରିବେ। ସନ୍ଧ୍ୟା ୬ଟା୧୦ରେ ଝାଡୁଆପଡା ଆରଣ୍ୟକ ମଞ୍ଚରେ ଓଡ଼ିଶା ସାଂସ୍କୃତିକ ସମାଜ ପକ୍ଷରୁ ହେବାକୁ ଥିବା ନୂଆଖାଇ ଭେଟ୍‌ଘାଟରେ ସାମିଲ ହେବେ। ଏହାପରେ ସମଲେଇ ମନ୍ଦିରରେ ସମଲେଶ୍ୱରୀ ଯୁବକ ସଂଘ ଦ୍ୱାରା ଆୟୋଜିତ ନୂଆଁଖାଇ ଭେଟ୍‌ଘାଟରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ସେଠାରୁ ସନ୍ଧ୍ୟା ୭ଟା୫୫ରେ ନନ୍ଦପଡା ଚିତ୍ରୋତ୍ପଳା ଯୁବକ ସଂଘ ପକ୍ଷରୁ ଭୁବନେଶ୍ୱରୀ କଲ୍ୟାଣ ମଣ୍ଡପରେ ଆୟୋଜିତ ଭେଟ୍‌ଘାଟ କାର୍ଯ୍ୟକ୍ରମରେ ସାମିଲ ହେବେ। କାର୍ଯ୍ୟକ୍ରମ ସମାପ୍ତ ପରେ ରାତି ୯ ଟାରେ ବୁର୍ଲା ଅଶୋକ ନିବାସରେ ରାତ୍ରି ଯାପନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖିଆଗରେ ରଖି ସମ୍ବଲପୁରରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ତେବେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ସମଲେଇ ମନ୍ଦିରରେ ନୂଆଖାଇ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

Share