ମୋହନ ମାଝିଙ୍କ ପିଏ ମୃତ

ଭୁବନେଶ୍ୱର,୧୨ା୬ (ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ୟୁନିଟ-୮ ଡେଲଟା ବ୍ରହ୍ମାକୁମାରୀ ଆଶ୍ରମ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଦୁଇ କାର୍‌ ମଝିରେ ଏକ ବାଇକ ଚାପି ହୋଇଯିବାରୁ ଚାଳକଙ୍କ ଡାହାଣ ଗୋଡ ଛିଣ୍ଡିଯିବା ସହ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପାତ୍ରପଡା ଫୁଲେଶ୍ୱରୀ ବସ୍ତିର ଚନ୍ଦନ ମହାପାତ୍ର (୩୧)। ସେ ଓଡିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପିଏ ବୋଲି ଜଣାପଡିଛି। ଦୁର୍ଘଟଣାରେ ଦୁଇଟି କାର୍‌ ଓ ଦୁଇଟି ବାଇକ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟଜଣେ ବାଇକ ଚାଳକ ଓ ଦୁଇ କାର୍‌ରେ ଥିବା ୪ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ୪ ଗାଡିକୁ ପୋଲିସ ଜବତ କରିଛି। ତେବେ କାର୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏନେଇ ମୃତକଙ୍କ ବଡଭାଇ ରାଜକୁମାର ମହାପାତ୍ର ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏହାକୁ ଭିତ୍ତିକରି ଏକ ମାମଲା (ନଂ.୩୪୫/୨୦୨୪) ରୁଜୁ କରି ତଦନ୍ତ ଜାରି ରଖିଛି। ମୃତ ଚନ୍ଦନ ଦିନ ପ୍ରାୟ ୧୧ଟା ବେଳେ ମୋହନ ମାଝିଙ୍କ ଅଫିସକୁ ଯାଉଥିଲେ। ଚନ୍ଦନ ତାଙ୍କ ବାଇକ ଯୋଗେ ଗୋପବନ୍ଧୁ ଛକରୁ ଜଳେଶ୍ୱର ମନ୍ଦିର ଆଡକୁ ଦ୍ରୁତଗତିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଚନ୍ଦନ ଏକ କାର୍‌କୁ ଓଭର ଟେକ୍‌ କରିବାବେଳେ ସାମ୍ନାରୁ ଆଉଏକ କାର୍‌ ଓ ବାଇକ ଆସୁଥିଲା। ସେହି ସମୟରେ ଦୁଇଟି କାର୍‌ ମଝିରେ ଚନ୍ଦନଙ୍କ ବାଇକ ପଶିଯାଇଥିଲା। ସେହିପରି ଆଉଏକ ବାଇକ ମଧ୍ୟ କାର୍‌ ସହ ଧକ୍କା ହୋଇଥିଲା। ଏଥିରେ ଚନ୍ଦନଙ୍କ ଏକ ଗୋଡ଼ ଛିଣ୍ଡିଯାଇଥିବାବେଳେ ତାଙ୍କ ବାଇକ୍‌ ଚୂର୍‌ମାର ହୋଇଯାଇଥିଲା। ରାସ୍ତାରେ ଚନ୍ଦନ ମୁର୍ମୁଷୁ ଅବସ୍ଥାରେ ପଡି ରହିଥିବାବେଳେ କିଛିଦୂରରେ ଭିନ୍ନ ଭିନ୍ନ ସ୍ଥାନରେ ପଡିଥିବା ତାଙ୍କ ପାଦ ଓ ଜୋତା ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଜଣାପଡୁଥିଲା। ଆମ୍ବୁଲାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି କ୍ୟାପିଟାଲ ହସ୍ପିଟାଲ ଯାଇ ଚନ୍ଦନଙ୍କ ଶେଷ ଦର୍ଶନ କରିଥିଲେ। ମୃତ ଚନ୍ଦନଙ୍କ ଦୁଇବର୍ଷ ତଳେ ବିବାହ ହୋଇଥିବାବେଳେ ତାଙ୍କର ଗୋଟିଏ ପୁଅ ଅଛି। ସେ ଗତ ୭ରୁ ୮ ବର୍ଷ ମୋହନଙ୍କ ପାଖରେ କାମ କରୁଥିଲେ।

Share