Advertisement

ଖଣି ଦୁର୍ନୀତି କଥା ଉଠାଇ ବୋମାମାଡ଼ର ଶିକାର ହୋଇଥିଲେ ମୋହନ

ଭୁବନେଶ୍ୱର/କେନ୍ଦୁଝର,୧୨ା୬ (ସୁନିତ୍‌ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାର ଟାଣୁଆ ନେତା ତଥା ବିଧାୟକ ମୋହନ ଚରଣ ମାଝୀ ଓଡ଼ିଶାର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେବାକୁ ଯାଉଛନ୍ତି। ଏ ସମ୍ପର୍କରେ ଭାଜପା ବିଧାୟକ ଦଳ ବୈଠକ ପରେ ଘୋଷଣା ହେବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଥିବା ମୋହନ ତାଙ୍କ ଜୀବନରେ ବହୁ ବାଧାବିଘ୍ନର ସାମ୍ନା କରିଛନ୍ତି। ଏପରିକି ତାଙ୍କ ଉପରକୁ ବୋମାମାଡ଼ ହୋଇଥିବାବେଳେ ସେ ନିଜ ଜୀବନ ରକ୍ଷା କରିପାରିଛନ୍ତି। ୨୦୨୧ ଅକ୍ଟୋବର ୧୦ରେ ବାଂଶପାଳସ୍ଥିତ ଓଏମ୍‌ସି ଖଣି ଦୁର୍ନୀତି ଘଟଣାକୁ ନେଇ ସେ ଆନ୍ଦୋଳନ କରୁଥିବାବେଳେ ତାଙ୍କ ଉପରକୁ ବୋମାମାଡ଼ କରାଯାଇଥିଲା। ସେ ସବୁବେଳେ ଜିଲାର ଖଣି ଦୁର୍ନୀତିକୁ ନେଇ ସ୍ବର ଉତ୍ତୋଳନ କରିଆସୁଥିଲେ। ସେହିପରି ଡିଏମ୍‌ଏଫ୍‌ ପାଣ୍ଠିର ଅସଦ୍‌ ବ୍ୟବହାର ଏବଂ ଦୁର୍ନୀତିକୁ ନେଇ ବାରମ୍ବାର ଆପତ୍ତି ଉଠାଇ ଆସୁଥିଲେ। ଖଣି ମହାଦୁର୍ନୀତିକୁ ନେଇ ତାଙ୍କ ଡାକରାରେ ଭାଜପାର ଏକ ଟିମ୍‌ ଯୋଡା, ବଡ଼ବିଲ୍‌ ଖଣି ଅଞ୍ଚଳ ଗସ୍ତ କରି ସରକାରଙ୍କୁ ଘେରିଥିଲେ। ସେହିପରି ବାଂଶପାଳ ବ୍ଲକ ଗନ୍ଧମାର୍ଦ୍ଦନ ଖଣିରେ ଦୁର୍ନୀତିକୁ ନେଇ ସେ ବିରୋଧ କରିବା ସମୟରେ ବିରୋଧୀଙ୍କ ଆକ୍ରୋଶର ଶିକାର ମଧ୍ୟ ହୋଇଥିଲେ। କେନ୍ଦୁଝର ଜିଲା ଦେଇ ନୂଆଦିଲ୍ଲୀକୁ ଯାତ୍ରୀବାହୀ ରେଳ ଚଳାଚଳ, ଜିଲାରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦିକୁ ନେଇ ମଧ୍ୟ ସେ ଦାବି କରିଆସୁଥିଲେ। ସେହିପରି ଟ୍ରକ ମାଲିକଙ୍କ ସମସ୍ୟାକୁ ମଧ୍ୟ ପ୍ରାଧାନ୍ୟ ଦେଇ ସ୍ବର ଉତ୍ତୋଳନ କରିଥିଲେ। ମୁଖ୍ୟମନ୍ତ୍ରୀ ହେବାପରେ ଜିଲାରେ ବୃହତ୍‌ ଇସ୍ପାତ ଶିଳ୍ପ ପ୍ରତିଷ୍ଠା, ଡିଏମ୍‌ଏଫ୍‌ ପାଣ୍ଠି ଦୁର୍ନୀତିର ପର୍ଦ୍ଦାଫାଶ୍‌, ମେଡିକାଲ କଲେଜରେ ଉତ୍ତମ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ଦାବି ପୂରଣ ହେବା ନେଇ ଲୋକଙ୍କ ଆଶା ବଢ଼ିଛି। ଖଣି ଓ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନେଇ ମଧ୍ୟ ଲୋକେ ଆଶାବାଦୀ ଅଛନ୍ତି। ତାଙ୍କର ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିରୋଧୀ ନିରବୀ ଯାଇଥିବାବେଳେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଗରିବ, ଆଦିବାସୀ ସମସ୍ତେ ଖୁସିବ୍ୟକ୍ତ କରି ଆଶାବାଦୀ ହୋଇପଡ଼ିଥିବା ଯୁବ ଓ ଶ୍ରମ ବିକାଶ ମଞ୍ଚ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share