ପଛ ଧାଡିରେ ବସିଥିଲେ ମୋହନ, ମୁଖ୍ୟମନ୍ତ୍ରୀ ଭାବେ ନାଁ ପ୍ରସ୍ତାବ ହେବାରୁ ଆଶ୍ଚର୍ଯ୍ୟ ହୋଇ କରିଥିଲେ ଏମିତି କାମ

ଭୁବନେଶ୍ୱର,୧୨।୬: ଓଡ଼ିଶାର ୧୪୭ ବିଧାନସଭା ଆସନ ମଧ୍ୟରୁ ୭୮ଟିରେ ବିଜୟୀ ହୋଇ ଭାଜପା ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ସମର୍ଥ ହୋଇଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ମଙ୍ଗଳବାର ସନ୍ଧ୍ୟାରେ ଅବସାନ ଘଟିଛି। ଭାଜପାର ନବନିର୍ବାଚିତ ବିଧାୟକମାନଙ୍କୁ ନେଇ ଦଳର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝିଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନିମନ୍ତେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ସେହିପରି ବଲାଙ୍ଗୀର ଜିଲାର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓ ଏବଂ ଦଳର ପ୍ରମୁଖ ନେତ୍ରୀ ତଥା ପୁରୀ ଜିଲା ନିମାପଡ଼ା ବିଧାନସଭା ଆସନରୁ ନିର୍ବାଚିତ ପ୍ରଭାତୀ ପରିଡ଼ାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି।
ମଙ୍ଗଳବାର ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଅପରାହ୍ନ ପ୍ରାୟ ସାଢ଼େ ୪ଟା ଆରମ୍ଭ ହୋଇଗଲା। ପଛ ଧାଡ଼ିରେ ଚୁପ୍‌ଚୁପ୍‌ ବସିଥିଲେ ମୋହନ ଚରଣ ମାଝି। ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଆସିଥିବା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ପ୍ରସ୍ତାବ ମାଗିଥିଲେ। ପ୍ରଥମ ପ୍ରସ୍ତାବକ ଥିଲେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ (କେଭି)। ସେ ମୋହନ ଚରଣ ମାଝିଙ୍କ ନାଁ ନେଇଥିଲେ।
ସମସ୍ତେ ଚକିତ ହୋଇଯାଇଥିଲେ। ମୋହନ ଭାବବିହ୍ବଳ ହୋଇଯାଇଥିଲେ। ତାଙ୍କ ଆଖି ଛଳଛଳ ଦିଶୁଥିଲା। ସଭିଙ୍କୁ ପ୍ରଣାମ କରିବା ସହ ଖୁସିରେ ଗଦ୍‌ଗଦ୍‌ ହୋଇ ଯାଉଥାଆନ୍ତି ମୋହନ। ବିଶାସ କରିପାରୁ ନ ଥାନ୍ତି ଯେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। କେଭିଙ୍କ ପରେ ସୁରମା ପାଢ଼ୀ, ରବି ନାଏକ, ସଞ୍ଜଳି ମୁର୍ମୁ ଓ ପୃଥ୍ବୀରାଜ ହରିଚନ୍ଦନ ପ୍ରମୁଖ ଜଣକ ପରେ ଜଣେ ମୋହନଙ୍କ ନାମରେ ହଁ କହି ସମର୍ଥନ ଜଣାଇଥିଲେ। ତା’ପରେ ବିଧାୟକ ଦଳ ବୈଠକରୁ ଶୁଭିଥିଲା ଜୟ ଶ୍ରୀରାମ… । ଭାଜପା ଜିନ୍ଦାବାଦ…, ମୋହନ ଭାଇ ଜିନ୍ଦାବାଦ। ବିଧାୟକମାନେ ମୋହନଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ।

Share