ଭାରି ଭଲ ଲାଗୁଛନ୍ତି ଜସ୍ମିନ୍‌

ବମ୍ବେ: ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ପାରିବାରିକ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ରୁ ଲୋକପ୍ରିୟ ହୋଇଥିଲେ ଅଭିନେତା ମୋହସିନ ଖାନ୍‌। ସେଥିରେ ଶିବାଙ୍ଗୀ ଜୋଶିଙ୍କ ସହ ତାଙ୍କ ଯୋଡ଼ି ଦର୍ଶକଙ୍କ ହୃଦୟ ଜିତିଥିଲା। ଏବେ କିନ୍ତୁ ଉଭୟ ଶୋ’ ଛାଡ଼ିଛନ୍ତି। କେବଳ ଗୋଟିଏ ପ୍ରୋଜେକ୍ଟରେ ସୀମିତ ନ ରହି ସେମାନେ ଅନ୍ୟ ପ୍ଲାଟଫର୍ମରେ ମଧ୍ୟ କାମ କରିବାକୁ ଚାହୁଁଥିବା ଦର୍ଶାଇଛନ୍ତି। ଏହି କ୍ରମରେ ମୋହଶିନ ଏକ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ। ଏଥିରେ ତାଙ୍କ ସହ ରହିବେ ଅଭିନେତ୍ରୀ ଜସ୍ମିନ୍‌ ଭାସିନ୍।

ମୋହସିନ ନିଜର ସୋସିଆଲ ଆକାଉଣ୍ଟରେ ଜସ୍ମିନଙ୍କ ସହ ନିଜର କିଛି ଫଟୋ ଶେୟାର କରି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ ଜଣେ ସୁନ୍ଦରୀ ପଞ୍ଜାବୀ ଲଳନା। ପରିଶ୍ରମୀ ଅଭିନେତ୍ରୀ। ତାଙ୍କ ସହ କାମ କରି ବହୁତ କିଛି ଜାଣିବାକୁ ମିଳିଲା ବୋଲି ମୋହସିନ କହିଛନ୍ତି। ଏହି ପୋଷ୍ଟରେ ପ୍ରତିକ୍ରିୟା ରଖି ସ୍ମାଇଲ୍‌ ଇମୋଜି ଦେଇଛନ୍ତି।

କହିରଖୁଛୁ, ଦର୍ଶକମାନେ ପୂର୍ବରୁ ଶିବାଙ୍ଗୀଙ୍କ ସହ ମୋହସିନଙ୍କୁ ଯୋଡ଼ି ଆସିଛନ୍ତି। ଏବେ ଜସ୍ମିନଙ୍କ ସହ ତାଙ୍କ ଯୋଡ଼ି କିଭଳି ଲାଗୁଛି ତାହା ଆଗାମୀ ଦିନରେ ଜଣାପଡ଼ିବ। ତେବେ ଧାରାବାହିକ ଛାଡ଼ିବା ପରେ ମୋହସିନଙ୍କ ଏହା ପ୍ରଥମ ରିଲିଜ। ଅଭିନେତା ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି।

Share