ପୋଲିସ ବିରୋଧରେ ଲାଗିଲା ମାଓବାଦୀ ପୋଷ୍ଟର

ରାଇଘର, ୧୪।୨(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ଥାନା ଅଧୀନ କୁକୁରକୁଆଁ ଗ୍ରାମ ନିକଟରେ ଗଛକାଟି ରାସ୍ତା ଅବରୋଧ କରାଯାଇ ସେଥିରେ ମାଓବାଦୀ ପୋଷ୍ଟର ଲଗାଯାଇଛି। ତେବେ କେଉଁ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ରାତି ପ୍ରାୟ ୨ଟାରେ ରାଇଘର ଅଗ୍ନିଶମ ବିଭାଗକୁ ଭୁବନେଶ୍ୱରରୁ ଫୋନ୍‌ କଲ୍‌ ଆସିଥିଲା। କୁକୁରକୁଆଁରେ ଗଛ କଟାହୋଇ ରାସ୍ତା ଉପରେ ପଡ଼ିଛି ବୋଲି କୁହାଯାଇଥିଲା। ପ୍ରାୟ ୧୫ ମିନିଟ୍‌ ମଧ୍ୟରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଗଛରେ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖି ସେମାନେ ତାହାକୁ ନ ହଟାଇ ଫେରିଆସିଥିଲେ। ପରେ ମଙ୍ଗଳବାର ସକାଳୁ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚତ୍ ଗଛ ହଟାଇଥିଲେ। ପୋଲିସ ମାଓବାଦୀ ବ୍ୟାନର ଜବତ କରିଛି। ରାଇଘର ପୋଲିସ ଓ ଉମରକୋଟ ଏସ୍‌ଡିପିଓଙ୍କ ଅନୁମତିରେ ଗତ ୧୦ ତାରିଖ ଶନିବାର ରାତିରେ ନକଟିସିମୋଡା ଓ ମାରିପାରା ଗ୍ରାମରେ ଖୁଡ୍‌ଖୁଡି ଖେଳର ୨୨ଟି ପସରା ଲାଗିଥିଲା। ଯଦି ରାଇଘର ବ୍ଲକର ୨୬ ପଞ୍ଚାୟତରେ ଏହି ଖେଳ ବନ୍ଦ ନ ହୁଏ ତା’ହେଲେ ନିଆଁ ଜଳିବ। ଯେଉଁ ଗାଁରେ ଜୁଆଖେଳ ହେଉଛି ସେହି ଗାଁର ୱାର୍ଡ ସଭ୍ୟ ଓ ସରପଞ୍ଚଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଉକ୍ତ ମାଓବାଦୀ ପୋଷ୍ଟରରେ ଉଲ୍ଲେଖ ରହିଛି। ଘଟଣା ସମ୍ପର୍କରେ ଉମରକୋଟ ଏସ୍‌ଡିପିଓ ମଧୁସିକ୍ତା ମିଶ୍ରଙ୍କୁ ପଚାରିବାରୁ ଶନିବାର ଜୁଆଖେଳ ନେଇ ଅନେକ ଫୋନ୍‌ କଲ୍‌ ପାଇବା ପରେ ପୋଲିସ ଜୁଆଖେଳ ବନ୍ଦ କରାଇଥିଲା। କିନ୍ତୁ ରାତିରେ ପୁଣି ଜୁଆଖେଳ ହୋଇଥିଲା। ତେବେ କିଏ ଏଭଳି ପୋଷ୍ଟର ଲଗାଇଛି ତାହାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।
Share