ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି । ବାପାଙ୍କ ସହ ମିଶି ନିର୍ବାଚନ ଲଢ଼ିଲେ, ଏଥର ଡବଲ ମାର୍ଜିନରେ ଜିତିବେ ବୋଲି ଆଭାସ ମଧ୍ୟ ଦେଇସାରିଛନ୍ତି ସୋଫିଆ । କିନ୍ତୁ ଏହାକୁ ଗମ୍ଭୀରତାରେ ନେଇଛି ବିଜେଡି । କଟକ ସଂସଦୀୟ କ୍ଷେତ୍ରର ବିଜେଡି ପ୍ରାର୍ଥୀମାନେ ଏକଜୁଟ ହୋଇ ବିରୋଧୀଙ୍କୁ ମାତ୍‌ ଦେବାକୁ ରଣକୌଶଳ ସ୍ଥିର କରିଛନ୍ତି ।

କେବଳ ବିଧିବଦ୍ଧ ଘୋଷଣାକୁ ବାକି ଥିବାବେଳେ, ବାରବାଟୀ-କଟକ ଆସନରୁ ଲଢ଼ିବା ପାଇଁ ଏକଦମ ପ୍ରସ୍ତୁତ ହୋଇଗଲେଣି କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ । ସୋଫିଆଙ୍କ ପ୍ରାର୍ଥିତ୍ୱକୁ ମୋକିମଙ୍କ ସମର୍ଥକ ଓ କଟକର କଂଗ୍ରେସ ନେତାମାନେ ମଧ୍ୟ ଗ୍ରହଣ କରିସାରିଲେଣି । ନିକଟରେ ମୋକିମଙ୍କ ଘରେ ବସିଥିବା ବୈଠକରେ ସୋଫିଆ କହିଛନ୍ତି, ‘ବାପା ନିର୍ବାଚନ ଲଢୁଥିଲେ, ଏଥର ସେ ଲଢ଼ିବେ’ । ତେଣୁ ଏଥର ବିଜୟ ମାର୍ଜିନ ଡବଲ ହେବ । ସେପଟେ ମୋକିମ କହିଛନ୍ତି, ‘ତାଙ୍କର ୫ ବର୍ଷର କାର୍ଯ୍ୟକାଳ ଭିତରେ କଟକ ସହରରେ ଯେଉଁ ବିକାଶ ହୋଇଛି ତାହା ଗତ ୧୯ ବର୍ଷ ମଧ୍ୟରେ ହୋଇ ନ ଥିଲା । ତାଙ୍କ ପ୍ରତି କଟକ ସହରବାସୀଙ୍କ ପୂର୍ଣ୍ଣ ସମର୍ଥନ ଥିବାରୁ ଏହି ବିକାଶ ଧାରା ଆହୁରି ବଢ଼ିବ’।

ତେବେ ସୋଫଇଆ ଲଢିବା ନେଇ ଏକରକମ ଫିକ୍ସ ହୋଇ ଯାଇଥିବାବେଳେ ତାଙ୍କୁ ଧୂଳି ଚଟେଇବାକୁ ବିଜେଡି ପ୍ରସ୍ତୁତ କରଛି ସ୍ବତନ୍ତ୍ର ରଣନୀତି । ବାରବାଟୀ-କଟକର ବିଜେଡି ପ୍ରାଥୀ ପ୍ରକାଶ ବେହେରା, କଟକର ଏମପି ପ୍ରାର୍ଥୀ ସଂତୃପ୍ତ ମିଶ୍ର, ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ଇତ୍ୟାଦି ପ୍ରମୁଖ ଏକ ବୈଠକରେ ଏକାଠି ହୋଇ ବିଜୟ ଷ୍ଟ୍ରାଟେଜି ସଂପର୍କରେ ଆଲୋଚନା କରିଛନ୍ତି ।

ବିଜେଡି ଓ କଂଗ୍ରେସ ପରେ ଏବେ ସମସ୍ତଙ୍କ ନଜର ଭାଜପା ଉପରେ କେନ୍ଦ୍ରୀଭୂତ ହୋଇଛି । କାରଣ ଏହି ଆସନରେ ଏଯାଏଁ ଦଳ ପ୍ରାର୍ଥୀ ଦେଇନାହିଁ । ଅନୁଭବ, ଅରିନ୍ଦମ, ଶ୍ରୀତମଙ୍କ ସହ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।

Share