ଭୁବନେଶ୍ୱର,୬ା୨: ଚଳିତ ଫେବୃୟାରୀ ୧ରେ କେନ୍ଦ୍ର ବଜେଟ ସଂସଦରେ ଉପସ୍ଥାପନ ହୋଇସାରିଛି। ବର୍ତ୍ତମାନ ଦେଶବାସୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ମୁଦ୍ରାନୀତି ସମୀକ୍ଷା ଉପରେ ନଜର ରଖିଛନ୍ତି। ସୁଧହାର ବୃଦ୍ଧି ନେଇ ବର୍ଷର ପ୍ରଥମ ନୀତି ସମୀକ୍ଷାକୁ ଏବେ ସମସ୍ତଙ୍କ ଅପେକ୍ଷା ରହିଛି। ତେବେ ଆମେରିକୀୟ ବ୍ରୋକ୍ରେଜ କମ୍ପାନୀ ବ୍ୟାଙ୍କ ଅଫ୍ ଆମେରିକା ସିକ୍ୟୁରିଟିଜଙ୍କ ଅନୁମାନ ଅନୁସାରେ ଆର୍ବିଆଇ କୌଣସି ପରିବର୍ତ୍ତନ କରି ନ ପାରନ୍ତି, ବରଂ ଅଭିବୃଦ୍ଧି କୈନ୍ଦ୍ରିକ ପୁଞ୍ଜିଗତ ବ୍ୟୟ ସଞ୍ଚାଳିତ ରାଜକୋଷ ବିସ୍ତାର ଦିଗରେ ଆଗକୁ ବଢ଼ିବେ ବୋଲି ସଂସ୍ଥା ଆକଳନ କରିଛି। ଯଦି ଆର୍ବିଆଇ ଏପରି ପଦକ୍ଷେପ ନିଅନ୍ତି ତେବେ ବଜାରରେ ମୂଲ୍ୟ ବୃଦ୍ଧି ଓ ପରେ ସୁଧ ହାର ସଙ୍କଟରେ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ମୁଦ୍ରାଗତ ନୀତି କମିଟି (ଏମ୍ପିସି) ର ବୈଠକ ଆସନ୍ତା ସୋମବାର ଅନୁଷ୍ଠିତ ହେବ ଓ ୯ତାରିଖରେ ଉକ୍ତ ବୈଠକର ନୀତିଗତ ନିଷ୍ପତ୍ତି ନେଇ ଘୋଷଣା କରାଯିବ।