Categories: ଖେଳ

ଅଂଶୁମାନଙ୍କ ପାଇଁ ଅର୍ଥ ବାଧକ

ସମ୍ବଲପୁର,୯ା୭(ବି.ଶଙ୍କର): ସଫ୍ଟ ଟେନିସରେ ଜାତୀୟ ସ୍ତରର ସଫଳତା ହାସଲ କରିଛନ୍ତି ସମ୍ବଲପୁରର ଅଂଶୁମାନ ବାବୁ। ଚଳିତ ମାସ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ପଟ୍ଟାୟାଠାରେ ଅନ୍ତର୍ଜାତୀୟ ସଫ୍ଟ ଟେନିସ ଚାମ୍ପିୟନଶିପ -୨୦୨୩ ଅନୁଷ୍ଠିତ ହେବ। ଏଥିରେ ୧୮ବର୍ଷରୁ କମ ବର୍ଗରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି ଉଦୀୟମାନ ତାରକା ଅଂଶୁମାନ। ସର୍ବଭାରତୀୟ ସ୍ତରରେ ୧୬ ଯୋଗ୍ୟତା ହାସଲକାରୀ ମଧ୍ୟରେ ଅଂଶୁମାନ ହେଉଛନ୍ତି ଏକମାତ୍ର ଓଡ଼ିଆ। ଏହା ସହିତ ସେପ୍ଟେମ୍ବର ମାସରେ ଚାଇନା ଠାରେ ହେବାକୁ ଥିବା ଏସିଆନ ଗେମ୍ସରେ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି। ତେବେ ପ୍ରତିଯୋଗିତାରେ ଭାଗ ନେବାକୁ ତାଙ୍କ ପାଇଁ ଅର୍ଥ ବାଧକ ସାଜିଛି। ଶୁକ୍ରବାର ସମ୍ବଲପୁର ଜିଲାପାଳ ଅନନ୍ୟା ଦାସଙ୍କୁ ଭେଟି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଅଂଶୁମାନ।
ପ୍ରାଥମିକ ଭାବରେ ସମ୍ବଲପୁର କମିଶନର କଲୋନୀ ଠାରେ ଥିବା ବୀର ସୁରେନ୍ଦ୍ର ସାଏ ଟେନିସ କୋର୍ଟରେ ସେ ତାଲିମ ନେଇଥିଲେ। ଯୁକ୍ତ୨ ବିଜ୍ଞାନ ଦ୍ୱିତୀୟ ବର୍ଷରେ ପଢୁଥିବା ଏହି ଉଦୀୟମାନ ଖେଳାଳି ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲଠାରେ ତାଲିମ ଗ୍ରହଣ କରୁଛନ୍ତି। ଟେନିସ ଫେଡେରେଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ଚୟନ ହୋଇଥିବା ଅଂଶୁମାନ ହେଉଛନ୍ତି ଠେମେରା ଗ୍ରାମର ମୂଳ ନିବାସୀ ସଞ୍ଜୀବ ଓ ଗାୟତ୍ରୀ ବାବୁଙ୍କ ଦ୍ୱିତୀୟ ପୁତ୍ର। ବର୍ତ୍ତମାନ ଏହି ପରିବାର ସମ୍ବଲପୁର ଚାରଭାଟିରେ ଅବସ୍ଥାନ କରୁଛନ୍ତି। ଜିଲାପାଳ, ରାଜ୍ୟ ସରକାର ତଥା ବିଭିନ୍ନ ଅନୁଷ୍ଠାନ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ରହିଲେ ସଫଳତା ହାସଲ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Share