ସରକାରୀ ନିଯୁକ୍ତିରେ ‘ମନି ଫର୍‌ ଜବ୍‌’ ର଼୍ୟାକେଟ୍‌: ଭାଜପା

ଭୁବନେଶ୍ବର, ୨୫ା୭(ସୁନିତ୍‌ ମିଶ୍ର):ଓଡ଼ିଶା ଷ୍ଟାଫ୍‌ ସିଲେକଶନ ଦ୍ୱାରା ହୋଇଥିବା ଜେଇଇ ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ପରୀକ୍ଷା ଆଗରୁ ପ୍ରଘଟ ହୋଇଥିବା କଥା ପ୍ରମାଣିତ କରୁଛି ଯେ, ଓଡ଼ିଶାରେ ସରକାରୀ ନିଯୁକ୍ତିରେ ‘ମନି ଫର୍‌ ଜବ୍‌’ ର଼୍ୟାକେଟ୍‌ କାମ କରୁଛି ା ଏହି ଆପରାଧିକ ଘଟଣାରେ କେବଳ କିଛି ଦଲାଲଙ୍କୁ ଗିରଫ କରାଯାଇଛି। ବାଲେଶ୍ୱର ଜିଲା ଏସ୍‌ପିଙ୍କ ବୟାନ ପ୍ରମାଣ କରିସାରିଲାଣି ଯେ, ଦଲାଲମାନେ ପରୀକ୍ଷା ଆଗରୁ ଅସଲି ପ୍ରଶ୍ନପତ୍ର ପାଇଥିଲେ ା ଏବେ ଓଡ଼ିଶା ଷ୍ଟାଫ୍‌ ସିଲେକଶନ ସେହି ପରୀକ୍ଷା ବାତିଲ କରିଛନ୍ତି। ଏହା କରିବା ପାଇଁ ଆଇନତଃ ସେମାନେ ବାଧ୍ୟ। କିନ୍ତୁ ସେହି ଦଲାଲମାନେ କିଭଳି ଆଗୁଆ ପ୍ରଶ୍ନପତ୍ର ପାଇଲେ, ସେମାନଙ୍କୁ ସରକାରଙ୍କ କେଉଁ ବଡ଼ବଡ଼ିଆ ଅଧିକାରୀମାନେ ପ୍ରଶ୍ନପତ୍ର ଯୋଗାଇଥିଲେ ଏହା ଉପରେ କାହିଁକି ତଦନ୍ତ ହେଉନାହିଁ ବୋଲି ଭାଜପା ପ୍ରଶ୍ନ କରିଛି।
ଭାଜପା ନେତା ଅନିଲ ବିଶ୍ୱାଳ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କହିଛନ୍ତି ଯେ, ବିନା ସରକାରୀ ସମ୍ପୃକ୍ତିରେ ଏହା କିଭଳି ସମ୍ଭବ ହୋଇପାରିବ। କେବଳ ଦଲାଲଙ୍କୁ କାହିଁକି ଗିରଫ କରାଗଲା, ଓଡ଼ିଶା ଷ୍ଟାଫ୍‌ ସିଲେକଶନର କୌଣସି ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଲାନାହିଁ। ଓଡ଼ିଶାରେ ବର୍ତ୍ତମାନ ଓପିଏସ୍‌ସି, ଓଏସ୍‌ଏସ୍‌ସି ପରିଚାଳନା କରୁଥିବା ସମସ୍ତ ସରକାରୀ ନିଯୁକ୍ତିରେ ଅନିୟମିତତା, ପ୍ରଶ୍ନପତ୍ର ଖୋଲା ବଜାରରେ ନିଲାମ ହେବା ଭଳି ଘଟଣା ସାମ୍ନାକୁ ଆସୁଛି ା ‘ନବୀନ ଓଡ଼ିଶା’ରେ ପଇସା ନେଇ ସରକାରୀ ଚାକିରି ବିକ୍ରି କରାଯାଏ ବୋଲି ଆମ ରାଜ୍ୟର ଚାକିରି ଆଶାୟୀ ଲକ୍ଷ ଲକ୍ଷ ଯୁବତୀ, ଯୁବକମାନେ ଏବେ ଭାବିବା ପାଇଁ ବାଧ୍ୟ ହେଲେଣି। ଯଦି ପରୀକ୍ଷା ହେବାର ୬ ଦିନ ଆଗରୁ ‘୧୦ ଲକ୍ଷ ଟଙ୍କା ଦିଅ ପ୍ରଶ୍ନପତ୍ର ନିଅ’ ବୋଲି ଅଭିଯୋଗ ଆସିଥିଲା ତେବେ ସେହି ପରୀକ୍ଷାକୁ କେଉଁ ପରିସ୍ଥିତିରେ କରିବା ପାଇଁ ଦିଆଗଲା ତାହା ତଦନ୍ତସାପେକ୍ଷ। ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ରୋକିବା ହେଉଛି ରାଜ୍ୟ ପୋଲିସର କାମ, ଯାହା ଗୃହ ବିଭାଗ ଅଧୀନରେ ଆସୁଛି ବୋଲି ଅନିଲ କହିଛନ୍ତି।

Share