ପେସା ହଜାଇ ଦେଇନି ନିଶା

ଛତ୍ରପୁର, ୧୫।୬(ସନ୍ତୋଷ ପାଢ଼ୀ): ବୟସ ୫୦ ଛଇଁଲାଣି। ତଥାପି ନାଚିବା ଓ ନାଚ ଶିଖିବା ନିଶା ଛାଡ଼ିନି। ଏହି ବୟସରେ ଠୁମକା ଲଗାଇବା ସହ ଏବଂ ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତରେ ତାଳ ଦେଇ ନାଚୁଛନ୍ତି ଗଞ୍ଜାମ ଜିଲା ଛତ୍ରପୁରର ରାମେଶ୍ୱର ପଣ୍ଡା। କେବଳ ସେତିକି ନୁହେଁ ସେ ତାଙ୍କ ନିତିଦିନିଆ କାମ ସେଉ, ଗାଣ୍ଠିଆ ଛଣାରୁ ଫୁରସତ ମିଳିଲେ ନୃତ୍ୟ ଶିଖିବାକୁ ଯାଉଛନ୍ତି। ଏଥସହ ନବେ ଦଶକର ଡ୍ରେସ ପିନ୍ଧି ଷ୍ଟୁଡିଓ ଯାଇ ଖୋକା ଭାଇଙ୍କ ଗୀତ ‘ପ୍ରେମିକାର ବାରିଆ’, ‘କବାଟ ଖୋଲ ପ୍ରିୟେ ମୁଁ ତମର ସିଏ’ ଆଦି ଗୀତରେ ନାଚନ୍ତି ରାମେଶ୍ୱର।
ରାମେଶ୍ୱରଙ୍କର ପିଲାଦିନୁ କଳା ପ୍ରତି ଦୁର୍ବଳତା ରହିଥିଲା। ସୁନ୍ଦରପୁର ଗ୍ରାମରେ ଏକ ସଂଗଠନ ପକ୍ଷରୁ ପୂର୍ବରୁ ବହୁଥର ତାଙ୍କୁ କଳା ପ୍ରଦର୍ଶନ କରିବାକୁ ସୁଯୋଗ ମିଳିଥିଲା। ଗୁରୁ ସୀମାଞ୍ଚଳ ମଣ୍ଡଳ ତାଙ୍କୁ ନୃତ୍ୟ ଶିକ୍ଷା ଦେଇଥିଲେ। ପରେ ପାରିବାରିକ ସମସ୍ୟା ହେତୁ ସେ ଏବେ ଛତ୍ରପୁରରେ ରହି ଏକ ଭାଟି ତିଆରି କରି ଗାଣ୍ଠିଆ, ସେଉ, ନିମିକି , ଠିକିରି ଆଦି ବେସନରେ ତିଆରି ସାମଗ୍ରୀ କରି ସନ୍ଧ୍ୟାରେ ଦୋକାନ ଗୁଡ଼ିକରେ ଦିଅନ୍ତି। ଏଥିରେ ତାଙ୍କ ପରିବାର ଚଳେ। ସମୟ ପାଇଲେ ସେ ନୃତ୍ୟ ଶିକ୍ଷା କରନ୍ତି। ଅକ୍ଷୟ ମହାନ୍ତିଙ୍କ ଗୀତରେ ତାଳ ଦେଇ ନୃତ୍ୟ ଅଭିନୟ କରିବା କାଠିକର ପାଠ । ରାମେଶ୍ୱର ହେଉଛନ୍ତି ପ୍ରଥମ ବ୍ୟକ୍ତିତ୍ୱ ଯିଏ ଖୋକା ଭାଇଙ୍କ ଗୀତରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ଟେଲିଭିଜନର ରିୟାଲିଟି ସୋ କରିବା ସହ ଅଭିନୟ ରାଜ୍ୟ ତଥା ରାଜ୍ୟ ବାହାରେ ନୃତ୍ୟ ପ୍ରଦର୍ଶନ କରି ଅନେକ ସୁନାମ ଅର୍ଜନ କରିଛନ୍ତି । ବଲିଉଡ଼ର କମେଡି କିଙ୍ଗ ଡ୍ୟାନିସିଂ ଷ୍ଟାର ଗୋବିନ୍ଦାଙ୍କ ସହ ମଧ୍ୟ ନୃତ୍ୟ କରିଛନ୍ତି ରାମେଶ୍ୱର। ନୃତ୍ୟ ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ ତାଙ୍କୁ ଏହି ସବୁ ଗୀତରେ ନୃତ୍ୟ ଶିଖିବାକୁ ସହଯୋଗ କରନ୍ତି । ଖାଲି ଏତିକି ନୁହଁ ବିଭିନ୍ନ ଯାତ୍ରାରେ ସେ ଅଭିନୟ କରିବା ସହ ନିର୍ଦେଶନା ମଧ୍ୟ ଦେଇଥାନ୍ତି । ଗୋଟିଏ ପଟେ ପେଶା ଆଉ ଗୋଟିଏ ପଟେ ନିଶାକୁ ସଫଳତାର ସହ ପରିଚାଳନା କରି ରାଜ୍ୟରେ ସୁନାମ ଅର୍ଜନ କରିଥିବା ରାମେଶ୍ୱରଏବେ ଅନେକଙ୍କ ପାଇଁ ଉଦାହରଣ ସାଜିଛନ୍ତି । ବଞ୍ଚିଥିବା ଯାଏ ନୃତ୍ୟ ଶିକ୍ଷା କରିବି ଓ ସମସ୍ତଙ୍କ ମନୋରଞ୍ଜନ କରିବି ବୋଲି ରାମେଶ୍ୱର କହିଛନ୍ତି।

Share