Categories: ଜାତୀୟ

କେଜ୍ରିଓ୍ବାଲଙ୍କୁ ସ୍ମୁତି ଇରାନୀଙ୍କ ପ୍ରଶ୍ନ: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କାହିଁକି ଦେଉଛନ୍ତି ସୁରକ୍ଷା

ନୂଆଦିଲ୍ଲୀ,୧।୬: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ବୁଧବାର ଏକ ଖବରଦାତା ସମ୍ମିଳନୀ କରି ସତେନ୍ଦ୍ର ଜୈନ ମନ୍ତ୍ରୀ ପଦରେ ଅବ୍ୟାହତ ରହିବା ନେଇ ସ୍ମୃତି ଇରାନୀ କେଜ୍ରିୱାଲଙ୍କୁ ଅନେକ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, କେଜ୍ରିୱାଲ କଳା ଟଙ୍କାର ମାଲିକ ସତ୍ୟେନ୍ଦ୍ରଙ୍କୁ କାହିଁକି ସୁରକ୍ଷା ଦେଉଛନ୍ତି। ସ୍ମୃତି ଇରାନୀ ନିଜ ପ୍ରଶ୍ନ ବାଣରେ କେଜ୍ରିୱାଲଙ୍କୁ ଘେରି କହିଛନ୍ତି, ସତ୍ୟେନ୍ଦ୍ର ଜୈନ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି, ଯାହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କ୍ଲିନ ଚିଟ୍‌ ଦେଇଛନ୍ତି। ସେ ତାଙ୍କୁ ବଞ୍ଚାଇବାକୁ କାହିଁକି ଚେଷ୍ଟା କରୁଛନ୍ତି ବୋଲି ସ୍ମୃତି ଇରାନୀ କେଜ୍ରିୱାଲଙ୍କୁ ପ୍ରଶ୍ନ କରିଛନ୍ତି। ମଙ୍ଗଳବାର କେଜ୍ରିୱାଲ କହିଥିଲେ ଯେ, ଦୁର୍ନୀତିର ଅର୍ଥ ହେଉଛି ଦେଶ ପ୍ରତି ବିଶ୍ୱାସଘାତକତା। ତେବେ କେଜ୍ରିଓ୍ବାଲ ନିଜ ଦେଶର ଦେଶଦ୍ରୋହୀମାନଙ୍କୁ ବର୍ତ୍ତମାନ ଆଶ୍ରୟ ଦେଉଛନ୍ତି କି ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି। ସତ୍ୟେନ୍ଦ୍ର ଦୋଷୀ ଜାଣି ମଧ୍ୟ କେଜ୍ରିୱାଲ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

Share