ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଆମ୍ବଡ଼ିହା ନିକଟ ବାହାଳ ପୋଷ୍ଟଅଫିସରେ ପୋଷ୍ଟମାଷ୍ଟର ସୁନୀଲ ପଣ୍ଡା ଅଧକୋଟିରୁ ଊଦ୍ଧର୍ବ ଟଙ୍କା ହେରଫେର କରିଥିବା ନେଇ ଗ୍ରାହକମାନେ ପୋଷ୍ଟ ଅଫିସରେ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି।
ପାଖାପାଖି ୧୦ଖଣ୍ଡ ଗାଁର ସେଭିଂ ଏବଂ ଫିକ୍ସ ଡିପୋଜିଟ ଟଙ୍କାକୁ ହେରଫେର କରିଥିବା ନେଇ ପୋଷ୍ଟମାଷ୍ଟର ପଣ୍ଡାଙ୍କୁ ଘେରାବନ୍ଦୀ କରି ରଖିଛନ୍ତି। ବାହାଳ ପୋଷ୍ଟ ଅଫିସରେ ପାଖାପାଖି ୧୦ଖଣ୍ଡ ଗାଁ ନୂଆଁ ଗାଁ, ଖଜିରା, ସାଆନ୍ତା, ମର୍ଦ୍ଦରାଜପୁର, ଶାସନପଦା, ସୁନାମୁହିଁ, ଗଡ଼ିଆମାଳ, ଦିଖାପଦା, ନରହରିପୁର ଆଦି ଗାଁର ଲୋକେ ସେଭିଂ ଏବଂ ଫିକ୍ସ ଡିପୋଜିଟ ଟଙ୍କା ପୋଷ୍ଟମାଷ୍ଟରଙ୍କୁ ଖାତାରେ ଜମା କରିବା ପାଇଁ ଦେଇଥିଲେ। କିଛି ଦିନ ପରେ ଖାତାରେ ଟଙ୍କା ନ ଥିବା ଦେଖି ସନ୍ଦେହ ଉପୁଜିବାରୁ ଜମାକାରୀମାନେ କାର୍ଯ୍ୟାଳୟକୁ ଆସି ପଚାରିବାରୁ କିଛି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ଯାହାକୁ ନେଇ ସୋମବାର ବାହାଳ ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟରଙ୍କୁ ଅଟକ ରଖାଯାଇଛି।