ଭିକାରିଙ୍କ ପୋଷାକରୁ ଟଙ୍କା ବର୍ଷା, ଭିଡ଼ିଓ ଭାଇରାଲ…

ନାଗଡା, ୧୫।୧୨: ମଧ୍ୟପ୍ରଦେଶର ଉଜ୍ଜୟନୀ ଜିଲାର ନାଗଡା ଜଙ୍କଶନରେ ଜଣେ ଭିକାରୀଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମାନସିକ ବିକୃତ ଭିକାରି ଜଣଙ୍କ ଭିକ ମାଗୁଥିବା ବେଳେ କ୍ରୋଧରେ ନିଜର ପୋଷାକ ଫିଙ୍ଗିଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ତାଙ୍କ ପୋଷାକରୁ ନୋଟ ବର୍ଷା ହେବାରେ ଲାଗିଛି। ସେଠାରେ ଉପସ୍ଥିତ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହାର ୫୨ ସେକେଣ୍ଡର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ମାଲଦାର ଭିକାରୀଙ୍କ କ୍ୟାପଶନରେ ଅପଲୋଡ୍‌ କରାଯାଇଛି। ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି।

ନାଗଡା ଜଙ୍କଶନ ପ୍ଲାଟଫର୍ମରେ ଏହି ଭିକାରିଙ୍କ ଭିଡିଓ ଦୁଇ ଦିନ ପୁରୁଣା। ଏଥିରେ ଭିକାରି ପରି ଦେଖାଯାଉଥିବା ଜଣେ ବ୍ୟକ୍ତି ନିଜ ଗାମୁଛା ଝାଡ଼ିବା ସହିତ ପୋଷାକ ମଧ୍ୟ ଝାଡୁଥିବାରୁ ଦେଖିବାକୁ ମିଳୁଛି। ଏଥିରୁ ପ୍ଲାଟଫର୍ମରେ ନୋଟ ଏବଂ କେତେକ କାଗଜପତ୍ର ବିଛାଡ଼ି ହୋଇପଡୁଥିବାର ଦେଖାଯାଉଛି। ଭାଇରାଲ ଭିଡିଓରେ ନୋଟଗୁଡିକ ଭିକାରିଙ୍କର ବୋଲି କୁହାଯାଉଛି।

ଭିକାରି ଜଣକ ବୁରହାନପୁରର ବାସିନ୍ଦା ବୋଲି କୁହାଯାଉଛି। କିଛି ଲୋକ ତାଙ୍କୁ ହଇରାଣ କରୁଥିଲେ, ତେଣୁ ସେ କ୍ରୋଧରେ ନିଜର ପୋଷାକ ଫିଙ୍ଗିଥିଲେ। ଏଥିରେ କାଗଜପତ୍ର ଏବଂ ନୋଟଗୁଡ଼ିକ ଥିଲା। ଏ ବିଷୟରେ ସୂଚନା ପାଇବା ପରେ, ନାଗଡା ରେଳ ଷ୍ଟେସନର ଜିଆରପି ଘଟଣାସ୍ଥଳରେ ପହଞ୍ଚି କାଗଜପତ୍ର ଏବଂ ନୋଟ୍‌ ସଂଗ୍ରହ କରି ସେହି ଭିକାରିଙ୍କୁ ଦେଇଥିଲେ। ଏହା ପରେ ତାଙ୍କୁ ବୁରହାନପୁରକୁ ପଠାଇ ଦିଆଯାଇଥିଲା।

Share