ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ କିଛିଦିନ ହେଲା ମାଙ୍କଡ ଆତଙ୍କ ଦେଖାଦେଇଛି। ସହରସ୍ଥିତ ଗୋଦାମପଡ଼ାର ମାଙ୍କଡ ଆକ୍ରମଣରେ ୧୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ପରେ ମାଙ୍କଡ଼କୁ ଧରିବା ଲାଗି ଜାଲ ବିଛାଇଥିଲା।
ଦୀର୍ଘ ୮ ଘଣ୍ଟାର ପରିଶ୍ରମ ପରେ ଟିମ୍ ଟ୍ରାଙ୍କୁଲାଇଜ କରି ମାଙ୍କଡ଼କୁ ଧରିବାରେ ସଫଳ ହୋଇଥିଲା। ଏ ନେଇ ସ୍ଥାନୀୟ ବାସିନ୍ଦା ଆନନ୍ଦିୟ ଦୀପ କହିଛନ୍ତି ଯେ, ବୁଧବାର ରାତି ୯ଟାରୁ ମାଙ୍କଡ଼ ଜଣକ ପରେ ଜଣଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା। ଏହାପରେ ଆମେ ବନ ବିଭାଗକୁ ଖବର ଦେଇଥିଲୁ। ଜଙ୍ଗଲ କ୍ଷୟ ହୋଇଚାଲିଥିବା ବେଳେ ଖାଦ୍ୟ ଅଭାବରୁ ଜଙ୍ଗଲି ଜନ୍ତୁ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।