କରୋନା ପରେ ଏବେ ଚାଇନାରେ ବୃଦ୍ଧି ପାଉଛି ମଙ୍କିପକ୍ସ ସଂକ୍ରମଣ

ବେଜିଂ,୪।୮: ତିନି ବର୍ଷରୁ ଅଧିକ ସମୟ ଧରି ସର୍ବଭାରତୀୟ ସ୍ତରରେ ଚାଲିଆସୁଥିବା କରୋନା ମହାମାରୀର ପ୍ରକୋପ ଏ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ରିପୋର୍ଟରେ କୁହାଯାଇଛି ଯେ, କରୋନାର ଭାରିଏଣ୍ଟରେ ଏବେ ବି ମ୍ୟୁଟେଶନ ମଧ୍ୟ ଜାରି ରହିଛି, ଯେଉଁ କାରଣରୁ ନୂତନ ଷ୍ଟ୍ରେନ ଆସିବାର ବିପଦ ରହିଛି। ସଂକ୍ରମଣର ଗତି ନିୟନ୍ତ୍ରଣରେ ଥିଲେ ମଧ୍ୟ ଏହାକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ୍‌ ନୁହେଁ।

ଏହି ସମୟରେ ଗଣମାଧ୍ୟମର ରିପୋର୍ଟରେ ଚାଇନାରେ ଏକ ନୂତନ ସଂକ୍ରମଣର ବୃଦ୍ଧି ବିଷୟରେ ଚେତାବନୀ ଦେଇଛି। ରିପୋର୍ଟ ଅନୁଯାୟୀ, ଆଜିକାଲି ଚାଇନାରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଉଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ୟୁରୋପରେ ମଙ୍କିପକ୍ସ ମାମଲା ହ୍ରାସ ପାଉଥିବାବେଳେ ଚାଇନାରେ ଏହି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ଜୁଲାଇ ୨୧ଶେଷ ସପ୍ତାହ ସୁଦ୍ଧା ଚାଇନାରେ ୧୧୭ଟି ମାମଲା ନିଶ୍ଚିତ ହୋଇଛି। ଏଥିସହ ମେ’ ୫ରୁ ଜୁଲାଇ ୨୧ ଶେଷ ସପ୍ତାହ ମଧ୍ୟରେ ୩୧୫ଟି ମାମଲା ସାମ୍ନାକୁ ଆସିଛି।

ଡବ୍ଲୁଏଚ୍‌ଓ ତଥ୍ୟ ଦର୍ଶାଉଛି ଯେ, ୨୦୨୨ରେ କେବଳ ୬ଟି ମାମଲା ନିଶ୍ଚିତ ହୋଇଥିବାବେଳେ ଏଥର ମାତ୍ର ଦୁଇ ମାସ ମଧ୍ୟରେ ୩୦୦ରୁ ଅଧିକ ଲୋକଙ୍କଠାରେ ଏହି ସଂକ୍ରମଣ ନିଶ୍ଚିତ ହୋଇଛି।

Share