ମଙ୍କିପକ୍ସ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷିତ…

ଜେନେଭା, ୨୩।୭ : ପୃଥିବୀରେ ମଙ୍କିପକ୍ସ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଶଷ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯାଇଛି। ଏହା ସହିତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଇତିମଧ୍ୟରେ ପୃଥିବୀରେ ୧୫ ହଜାରରୁ ଅଧିକ ମଙ୍କିପକ୍ସ୍‌ ମାମଲା ଚିହ୍ନଟ ହୋଇଛି। ଏଥି ସହିତ ଆଫ୍ରିକାରେ ମଙ୍କିପକ୍ସ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ଘଟିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସେକ୍ରେଟେରୀ ଜେନେରାଲ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଏନେଇ ୩ ଦିନ ତଳେ ସୂଚନା ଦେଇଥିଲେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏନେଇ ଗଠିତ କମିଟିର ଦ୍ୱିତୀୟ ବୈଠକରେ ଏହା ଅନ୍ତର୍ଜାତୀୟ ଚିନ୍ତାର ବିଷୟ ହେବ କି ନାହିଁ ତାହା ସ୍ଥିର କରାଯିବା ନେଇ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଜୁଲାଇ ୧୫ ସୁଦ୍ଧା ସମଗ୍ର ପୃଥିବୀରେ ମଙ୍କିପକ୍ସ ସଂକ୍ରମଣର ୧୧,୬୩୪ ମାମଲା ଚିହ୍ନଟ ହୋଇଥିଲା। ସମ୍ପ୍ରତି ଏହି ସଂଖ୍ୟା ୧୫ ହଜାର ଟପିଛି। ଗତ ଏକ ସପ୍ତାହ ମଧ୍ୟରେ ୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ, କାନାଡା ଏବଂ ଆମେରିକାରେ ମଙ୍କିପକ୍ସ ସଂକ୍ରମଣର ସର୍ବାଧିକ ସଂଖ୍ୟକ ରିପୋର୍ଟ ହୋଇଛି। ଏଥି ସହିତ ବର୍ତ୍ତମାନ ପୃଥିବୀର ୭୫ରୁ ଅଧିକ ଦେଶରେ ମଙ୍କିପକ୍ସ ସଂକ୍ରମଣ ହୋଇଛି।

Share