Advertisement

ଆମେରିକାରେ କମୁଛି ମଙ୍କିପକ୍ସ ମାମଲା

ଓ୍ବାଶିଂଟନ,୧୪ା୯: ଆମେରିକାରେ ମଙ୍କିପକ୍ସ ମାମଲା ଧିରେ ଧିରେ ହ୍ରାସ ପାଉଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରିପୋର୍ଟ ହୋଇଥିବା ମାମଲା ପୂର୍ବ ମାମଲାର ପ୍ରାୟ ଅଧା ଅଟେ। ଏକ ମାସ ପୂର୍ବରୁ ଆମେରିକାରେ ମଙ୍କିପକ୍ସ ମାମଲାରେ ରେକର୍ଡ ବୃଦ୍ଧି ଘଟିଥିଲା। ଏକ ରିପୋର୍ଟ ଅନୁଯାୟୀ, ଏହି ମାରାତ୍ମକ ରୋଗ ଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଛି।

ରାଷ୍ଟ୍ରୀୟ ସମନ୍ବୟ ସମିତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ହାର୍ଭେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ମଙ୍କିପକ୍ସ ମାମଲା ହ୍ରାସ ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି, ଏହି ରୋଗ ଯେପରି ବୃଦ୍ଧି ନ ହୁଏ ସେଥିପାଇଁ ଆମକୁ ଆହୁରି ଉଦ୍ୟମ କରିବାକୁ ପଡ଼ିବ।

ଏକ ରିପୋର୍ଟରୁ ପ୍ରକାଶ ଯେ, ଲସ୍‌ ଆଞ୍ଜେଲସରେ ଏହି ମାରାତ୍ମକ ଭୂତାଣୁରେ ଜଣଙ୍କର ମୃତ୍ୟୁ ଘଟିଛି। ଜିଲା ଜନସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକ ରୀତା ସିଙ୍ଗଲ କହିଛନ୍ତି, ମୃତ୍ୟୁର କାରଣ ଅନୁସନ୍ଧାନ କରାଯାଉଛି। ଯଦିଓ ପ୍ରାଥମିକ ଅନୁସନ୍ଧାନ ସମୟରେ କୌଣସି ସୂଚନା ମିଳିପାରି ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୫୨,୯୯୭ ଲୋକ ମଙ୍କିପକ୍ସ ସଂକ୍ରମିତ ହୋଇଛନ୍ତି। ଗତ ସପ୍ତାହରେ ରିପୋର୍ଟ ହୋଇଥିବା ମାମଲା ମଧ୍ୟରୁ ୭୦.୭ ପ୍ରତିଶତ ମାମଲା ଆମେରିକାରୁ ଆସିଥିବାବେଳେ ୨୮.୩.ପ୍ରତିଶତ ମାମଲା ୟୁରୋପରୁ ଆସିଛି।

Share