Categories: ଜାତୀୟ

ବିକଶିତ କରାଯିବ ମଙ୍କିପକ୍ସ ଟିକା, କହିଲେ ପୁନାଓ୍ବାଲା…

ନୂଆଦିଲ୍ଲୀ, ୨୬।୭ : ଭ୍ୟାକ୍ସିନ ନିର୍ମାତା ଆଦର ପୁନାୱାଲା କହିଛନ୍ତି ଯେ ଦେଶରେ ଚାରିଟି ମଙ୍କିପକ୍ସର ମାମଲା ଚିହ୍ନଟ ହୋଇଛି। ଜରୁରୀକାଳୀନ ପରିସ୍ଥିତିରେ ବହୁ ପରିମାଣରେ ଟିକା ଆମଦାନୀ ହେବାର ସମ୍ଭାବନା ନେଇ ସେ ଅନୁସନ୍ଧାନ କରୁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ମଙ୍କିପକ୍ସ ପାଇଁ ଏକ ମେସେଞ୍ଜର ଆରଏନଏ (ଏମ୍‌ଆରଏନଏ) ଟିକା ବିକଶିତ କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନୋଭାଭାକ୍ସ ସହିତ ଆଲୋଚନା କରୁଛି।

ପୁନାୱାଲା ଏନଡିଟିଭିକୁ କହିଛନ୍ତି ଯେ ଡେନମାର୍କ କମ୍ପାନୀ ବାଓ୍ବରିଆନ ନୋର୍ଡିକର ସ୍ମଲପକ୍ସ ଟିକା ତିନି ମାସ ମଧ୍ୟରେ ଭାରତ ଆସିପାରେ। ଲାଇସେନ୍ସ ଅନ୍ତର୍ଗତ ସ୍ମଲପକ୍ସ ଟିକା ବିକଶିତ କରିବାର କ୍ଷମତା ସେରମ ଇନଷ୍ଟିଚ୍ୟୁଟ ପାଖରେ ରହିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ବୈଷୟିକ ଜ୍ଞାନ ସହିତ ଏକ ଟିକା ଉତ୍ପାଦନକାରୀ ଭାବରେ, ଆମେ ଅଂଶୀଦାରମାନଙ୍କ ସହିତ କଥାବାର୍ତ୍ତା କରୁଛୁ। ଆମେ ନୋଭାଭାକ୍ସ ସହିତ କଥାବାର୍ତ୍ତା କରୁଛୁ। ଜରୁରୀକାଳୀନ ପରିସ୍ଥିତିରେ ଆମେ ଅନ୍ୟ କମ୍ପାନୀ ଦ୍ୱାରା ନିର୍ମିତ ଉତ୍ପାଦ ଭାରତକୁ ଆଣିବାର ଯୋଜନା କରୁଛୁ। ଆରମ୍ଭରୁ ଏହାକୁ ପ୍ରସ୍ତୁତ କରିବାକୁ କିଛି ସମୟ ଲାଗିବ।

ଟିକା ବିକଶିତ କରିବା ଲାଗି ଏକ ବର୍ଷରୁ ଅଧିକ ସମୟ ଲାଗି ବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କହିଛନ୍ତି, ଟିକା ପାଇଁ ସ୍ବତନ୍ତ୍ର କଣ୍ଟେନମେଣ୍ଟ ସୁବିଧା ଦରକାର। ବର୍ତ୍ତମାନ ସମୟରେ ଭାରତରେ ଏହା ନାହିଁ। ଆମର କିଛି ସୁବିଧା ଅଛି। ଆମେ ଆମର ଅଂଶୀଦାରମାନଙ୍କ ସହ କାମ କରୁଛୁ। ଆମେ ମଙ୍କିପକ୍ସ ପାଇଁ ଏକ ଏମ୍‌ଆରଏନଏ ଟିକା ତିଆରି କରିପାରିବୁ।

Share