ମାଙ୍କଡ଼ର ବ୍ରେକ୍‌ଫାଷ୍ଟ ନିଶା, ପ୍ରତିଦିନ ସକାଳୁ ଦୋକାନକୁ ଆସି କରୁଛି ଏପରି…

ଜୟପୁର,୨୮।୧: ରାଜସ୍ଥାନର ଭରତପୁରରେ ଆଜିକାଲି ଏକ ମାଙ୍କଡ଼ର ଦାଦାଗିରି ବେଶ୍‌ ଚର୍ଚ୍ଚାରେ ରହିଛି। କାରଣ ଏହି ମାଙ୍କଡ଼ ଯେତେବେଳେ ଚାହୁଁଛି ସେତେବେଳେ ଯେକୌଣସି ଦୋକାନରେ ପଶି ଖାଉଛି। କେହି ଖାଇବା ଦେବାକୁ ପଡୁନି, ନିଜ ହାତରେ ଆଣି ଖାଉଛି। ଏହା ପରେ ଫଳ ଦୋକାନକୁ ଯାଇ ଆରାମରେ ବସି ମନପସନ୍ଦର ଫଳ ଖାଇ ଆନନ୍ଦ ନେଉଛି। ଏହା ଦେଖି ଲୋକେ ବି ମାଙ୍କଡ଼କୁ କିଛି କହିବାକୁ ସାହସ କରୁନାହାନ୍ତି। ଯେପର୍ଯ୍ୟନ୍ତ ଯାଇ ନ ଥାଏ ଦୋକାନୀ ସେମିତି ଅପେକ୍ଷା କରି ରହିଥାନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଚୌବୁର୍ଜା ଅଞ୍ଚଳରେ। ଯେଉଁଠି ପ୍ରସିଦ୍ଧ କଚୋଡ଼ି ମିଳେ। ଏଠାକୁ ମାଙ୍କଡ଼ଟି ସବୁଦିନ ସକାଳେ ଆସି ବ୍ରେକ୍‌ଫାଷ୍ଟ କରେ। କଚୋଡ଼ି ଆଉ ଜିଲାପି ମନଇଚ୍ଛା ଖାଇ ଚାଲିଯାଏ।
ଦୋକାନୀ କୁହନ୍ତି, ସକାଳ ହେବା ମାତ୍ରେ ଏହି ମାଙ୍କଡ଼ଟି ଆସିଥାଏ। ଗ୍ରାହକଙ୍କ ସହ ମିଶି ଖାଇଥାଏ। ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ଜଳଖିଆ ଦୋକାନରେ ବସିବା ପରେ ଚାଲିଯାଏ ପରିବା ଦୋକାନକୁ। ସେଠାରେ ମଟର, ଗାଜର ଆଦି ଖାଇଥାଏ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆଜି ପର୍ଯ୍ୟନ୍ତ ମାଙ୍କଡ଼ଟି ଲୋକମାନଙ୍କ ସହ ମିଶି ଖାଉଥିଲେ ମଧ୍ୟ କାହାର କୌଣସି କ୍ଷତି କରିନାହିଁ। ଏହା କେବଳ ନିଜ ପସନ୍ଦ ଆଉ ସ୍ବାଦିଷ୍ଟ ଖାଦ୍ୟ ପେଟପୂରା ଖାଇ ନିଜ ରାସ୍ତାରେ ଚାଲିଯାଏ।

Share