ବଜାରକୁ ଆସିଲା ମୋନଲୁପିରାଭିର୍‌

ମୁମ୍ବାଇ, ୫ା୧: ନିକଟରେ ଜରୁରିକାଳୀନ ବ୍ୟବହାର ନିମନ୍ତେ ଅନୁମତି ପାଇଥିବା ସିପ୍‌ଲାର କୋଭିଡ୍‌ ଔଷଧ ମୋନଲୁପିରାଭିର୍‌ ସୋମବାର ଭାରତରେ ଲଞ୍ଚ ହୋଇଛି। ୫ ଦିନିଆ କୋର୍ସ ବିଶିଷ୍ଟ ଏହି କ୍ୟାପ୍‌ସୁଲ ଦାମ୍‌ ୧୩୯୯ ଟଙ୍କା ରହିଛି। ସାମାନ୍ୟରୁ ମଧ୍ୟମ ଧରଣର କରୋନା ସଂକ୍ରମିତଙ୍କଠାରେ ଏହି ଔଷଧ ବ୍ୟବହାର କରାଯିବ। ମୋନ୍‌ଲୁପିରାଭିର୍‌ ୮୦୦ ମିଲିଗ୍ରାମ୍‌ ବିଶିଷ୍ଟ କ୍ୟାପ୍‌ସୁଲ୍‌କୁ ଦିନକୁ ୨ ଥର ହିସାବରେ ୫ ଦିନ ପାଇଁ ବ୍ୟବହାର କରାଯାଇପାରିବ। ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଟାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ (ସିଡିଏସ୍‌ସିଓ)ର ବିଶେଷଜ୍ଞ ପ୍ୟାନେଲ ମୋନଲୁପିରାଭିର୍‌କୁ କଟକଣା ମଧ୍ୟରେ ଜରୁରିକାଳୀନ ବ୍ୟବହାର ନିମନ୍ତେ ଅନୁମତି ଦେଇଥିଲେ। ତେବେ ଏକାଧିକ କମ୍ପାନୀ ଏବେ ଏହି ଆଣ୍ଟିଭାଇରାଲ ପିଲ୍‌ ଉତ୍ପାଦନ ନିମନ୍ତେ ପ୍ରସ୍ତୁତି ଚଳାଇଛନ୍ତି। ସେମାନଙ୍କ ମଧ୍ୟରେ ହେଟେରୋ, ସନ୍‌ ଫାର୍ମା, ନାଟ୍‌କୋ, ଡକ୍ଟର ରେଡ୍ଡୀସ୍‌ ଭଳି କମ୍ପାନୀ ରହିଛନ୍ତି। ଆସନ୍ତା ସପ୍ତାହରେ ଡକ୍ଟର ରେଡ୍ଡୀସ୍‌ ଲାବେରେଟୋରୀ ମୋଲ୍‌ଫ୍ଲୁ ନାମରେ ୨୦୦ ମିଲିଗ୍ରାମ୍‌ ବିଶିଷ୍ଟ ଏହି କ୍ୟାପ୍‌ସୁଲ ଆଣିବାକୁ ଯାଉଛି। ପ୍ରତି କ୍ୟାପ୍‌ସୁଲ୍‌ର ମୂଲ୍ୟ ୩୫ ଟଙ୍କା ରହିବ ଏବଂ ଗୋଟିଏ ଷ୍ଟ୍ରିପ୍‌ରେ ୧୦ଟି ପିଲ୍‌ ଆସିବ ବୋଲି କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି।

Share