Categories: ଜାତୀୟ

ମୁମ୍ବାଇକୁ ବୁଡ଼ାଇଲା ମୌସୁମୀ: ୨ ଦିନରେ ପହଞ୍ଚିବ ଓଡ଼ିଶା

ନୂଆଦିଲ୍ଲୀ,୯।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବୁଧବାର ମୁମ୍ବାଇ ସମେତ ଆଭ୍ୟନ୍ତରୀଣ ମହାରାଷ୍ଟ୍ରର କିଛି ଅଞ୍ଚଳ ଏବଂ ଦକ୍ଷିଣ ଗୁଜୁରାଟ ଏବଂ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି ଅଂଶ ଛୁଇଁଛି । ମୌସୁମୀ ପ୍ରଭାବରେ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତା ୨ରୁ ୩ ଦିନରେ ମୌସୁମୀ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ପୂର୍ବ ଉତ୍ତରପ୍ରଦେଶରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି।

ଏପରିକି ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ୧୧ ତାରିଖରେ ଏହା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶା ସମେତ ପୂର୍ବଭାରତରେ ମୌସୁମୀ ସକ୍ରିୟ ହୋଇ ପ୍ରବଳ ବର୍ଷା କରାଇବ। ଲଘୁଚାପ ପ୍ରଭାବରେ ୧୦ ତାରିଖରୁ ଜୁନ ୧୫ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share