ଯାଜପୁର ଅଫିସ,୧୨ା୬: ଜଙ୍ଗଲ ସମ୍ପଦ ନଷ୍ଟ ସହ ଦ୍ରୁତ ଶିଳ୍ପାୟନ ଯୋଗୁ ତାପନ ବୃଦ୍ଧିପାଉଛି। ଫଳରେ ଖଣି ଓ ଶିଳ୍ପ ସମୃଦ୍ଧ ଜିଲା ଯାଜପୁରର ବିଭିନ୍ନ ସ୍ଥାନରେ ଗତ ୩ ବର୍ଷ ହେଲା ବୃଷ୍ଟିପାତରେ ଘୋର ଅନିୟମିତତା ଦେଖାଦେଇଛି। ମଣିଷର ଦୂରଦୃଷ୍ଟିହୀନ କାର୍ଯ୍ୟକଳାପ ଏହି ପରିବର୍ତ୍ତିତ ପାଣିପାଗ ପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି କୁହାଯାଉଛି। ଶିଳ୍ପ କାରଖାନାର ଧୂଳିଧୁଅଁା ଯୋଗୁ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବା ସହ ପରିବେଶ ଅସନ୍ତୁଳିତ ହୋଇପଡ଼ିଛି। ଏଥିଯୋଗୁ ଗତ ୩ ବର୍ଷ ହେଲା ବୃଷ୍ଟିପାତ ହାର ହ୍ରାସ ପାଉଥିବାବେଳେ ବେଳେବେଳେ ବହୁ ଅଧିକ ବର୍ଷା ହୋଇ କୃଷିକ୍ଷେତ୍ରକୁ ପ୍ରଭାବିତ କରୁଛି ବୋଲି ମତପ୍ରକାଶ ପାଇଛି। ଜୁନ ମାସର ପ୍ରଥମ ବର୍ଷାକୁ ଚାଷୀ ଅପେକ୍ଷା କରି ବସିଥାଏ। ହେଲେ ପ୍ରାୟ ବର୍ଷ ଜୁନ୍ରେ ଆବଶ୍ୟକ ବର୍ଷା ହେଉ ନ ଥିବାରୁ ଅଣଜଳସେଚିତ ଜିଲାର ଚାଷୀଙ୍କ ଧାନଚାଷ ପ୍ରଭାବିତ ହୋଇଆସୁଛି।
କୃଷି ବିଭାଗର ରିପୋର୍ଟ ଅନୁସାରେ ଯାଜପୁର ଜିଲାରେ ଜୁନରେ ୨୩୮ ମିଲିମିଟର (ମିମି) ବର୍ଷାର ଆବଶ୍ୟକତା ରହିଥିବାବେଳେ ୨୦୨୦ରେ ହାରାହାରି ୧୭୨.୩୪ ମିମି, ୨୦୨୧ରେ ୧୯୭.୬୪ ମିମି, ୨୦୨୨ରେ ୧୭୯.୧୬ ମିମି ବର୍ଷା ହୋଇଥିଲା। କେରଳକୁ ମୌସୁମୀ ଛୁଇଁ ସାରିଥିବାବେଳେ ଓଡ଼ିଶାକୁ ବିଳମ୍ବ ଥିବା କୁହାଯାଉଛି। ଏଭଳିସ୍ଥଳେ ଜିଲାରେ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ମେଗା ଉଠାଜଳସେଚନ ପ୍ରକଳ୍ପରେ ଅନିୟମିତତା, ହରିଲୁଟ ଏବଂ କ୍ଷେତରେ ପାଣି ମାଡ଼ିବାରେ ବିଳମ୍ବ ଚାଷୀକୁଳଙ୍କୁ ବ୍ୟଥିତ କରିଛି। ଅନ୍ୟପକ୍ଷରେ ଚଳିତବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି। ହେଲେ ଖଣି ଓ ଶିଳ୍ପାଞ୍ଚଳରେ ଅଧିକ ପ୍ରଦୂଷଣ କାରଣରୁ ଯାଜପୁର ଜିଲାର ଚାଷୀ ଆଶଙ୍କାରେ ରହିଛନ୍ତି।
କମ୍ପାନୀଗୁଡ଼ିକରୁ ନିର୍ଗତ ବିଷାକ୍ତ ବର୍ଜ୍ୟଜଳରେ ଧାନ ଫସଲ ନଷ୍ଟ ହୋଇଯାଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସୁକିନ୍ଦା ଖଣି ଅଞ୍ଚଳର ଚାଷୀମାନେ ଏନେଇ ପ୍ରାୟ ବର୍ଷ ଅଭିଯୋଗ କରି ଆସୁଛନ୍ତି। ଏହିସବୁ ପ୍ରାକୃତିକ ବିପର୍ଯ୍ୟୟରେ ଫସଲହାନି ହେବା ସହ ବହୁ ଧନଜୀବନ ନଷ୍ଟ ହେଉଛି। ଜୁନ୍ରେ ଗତ ୩ବର୍ଷର ବୃଷ୍ଟିପାତକୁ ଅବଲୋକନ କଲେ ଜଣାପଡ଼େ ଯେ, ଜିଲାରେ ଆଶାନୁରୂପ ବର୍ଷା ହୋଇନାହିଁ। ବିଶେଷକରି ଚାଷୀ ନିର୍ଭର କରୁଥିବା ଜୁନ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ବୃଷ୍ଟିପାତ ହାର ସ୍ବାଭାବିକ ହୋଇପାରୁନାହିଁ। ଅନ୍ୟପକ୍ଷରେ ଚାଷ ପାଇଁ ଉପଯୁକ୍ତ ସମୟରେ ବର୍ଷା ନ ହୋଇ କାଳବୈଶାଖୀ ଓ ଅଦିନିଆ ବର୍ଷା ଏଠାରେ ଲାଗି ରହୁଛି। ଏପରି ଭାବେ ବୃଷ୍ଟିପାତରେ ଅନିୟମିତତା ଯୋଗୁ ଜିଲା ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି। ଯାଜପୁର ଜିଲାର ସୁକିନ୍ଦା, ରସୁଲପୁର, ବରୀ ଓ ଧର୍ମଶାଳା ବ୍ଲକରେ ଧାନ ଚାଷ ସହ ପନିପରିବାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ଚଳିତବର୍ଷ କେତେଜଣ ଚାଷୀ ଧାନବୁଣା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ହେଲେ ମୌସୁମୀ ଆଗମନରେ ବିଳମ୍ବ ହେବା ଚାଷୀକୁଳଙ୍କୁ ହତାଶ କରିଛି ବୋଲି କୁହାଯାଉଛି। ଜିଲାରେ ନିର୍ମାଣାଧୀନ ୧୨ ଟି ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ହୋଇଥିବାବେଳେ ଏଯାଏ ଗୋଟିଏ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଏହି ଯୋଜନାରେ ଜିଲାର ୧୨,୮୦୦ ହେକ୍ଟର ଜମିକୁ ଜଳସେଚନ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ଅଥଚ ଉପରୋକ୍ତ ସମସ୍ତ ପ୍ରକଳ୍ପରେ ଏଯାଏ ପାଇପ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଠିକାସଂସ୍ଥା ଏବଂ ବିଭାଗୀୟ ଯନ୍ତ୍ରୀ ସରକାରଙ୍କ ରୋଷର ଶିକାରରୁ ବର୍ତ୍ତିବା ପାଇଁ ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି ବୋଲି ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଛି। ଏଥିଯୋଗୁ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ବିପୁଳ ପରିମାଣର ଟଙ୍କା କୃଷକମାନଙ୍କ କାର୍ଯ୍ୟରେ ନ ଲାଗି ଠିକାସଂସ୍ଥା ସ୍ବାର୍ଥରେ ଲାଗିଛି ବୋଲି ଅଭିଯୋଗ ହେଉଛି। ଧର୍ମଶାଳା ବ୍ଲକର ମଙ୍ଗଳପୁର, ଉତ୍ତରପ୍ରତାପ, ନରସିଂହପୁର ଓ ନୀଳକଣ୍ଠପୁର, ଦେଉଦା, ସେରପୁର, ବାସୁଦେଇପୁର, ମିର୍ଜାପୁର, ମଙ୍ଗଳପୁର, କୋଠଡ଼ିହ, କୋତପୁର, ଅରାବଳ ଓ ବଡ଼ନହନଙ୍ଗରା, ରସୁଲପୁର ବ୍ଳକର ସିଙ୍ଗାପୁର, ବନ୍ଧଡ଼ିହ, ମଠସାହି, ସାହାପଡ଼ାର, ଜୟସିଂହଡ଼ା, ଗୋଳକୁଣ୍ଡ, ମେଣ୍ଢର, କଟଣା ଓ ସଇସଣ୍ଢା, ହରିପୁର, ବଡଚଣା ବ୍ଳକର ବଡ଼ବାଲିକୁଦା ଆଦି ପଞ୍ଚାୟତର ଚାଷୀମାନେ ମେଗା ଉଠା ଜଳସେଚନ ପ୍ରକଳ୍ପ ପାଣିକୁ ଚାହିଁ ରହିଛନ୍ତି। ବର୍ଷାରେ ଅନିୟମିତତା ସମେତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକରୁ ଚାଷୀଙ୍କ ସେଚ ଆଶା ଧୂଳିସାତ୍ ହୋଇଛି ବୋଲି ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି।