Categories: ଜାତୀୟ

ମୌସୁମୀ ବିପର୍ଯ୍ୟୟ: ହିମାଚଳ ପ୍ରଦେଶରେ ୨୫୭ ମୃତ୍ୟୁ, ୭୦୦୦ କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ…

ଶିମଲା,୧୪।୮ : ହିମାଚଳ ପ୍ରଦେଶରେ ମୌସୁମୀ ବିପର୍ଯ୍ୟୟ ଜାରି ରହିଛି। ବାଦଲ ଫଟା ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ହେତୁ ହିମାଚଳ ପ୍ରଦେଶ ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହୋଇଛି।
ଜୁନ ୨୪ ରେ ହିମାଚଳ ପ୍ରଦେଶରେ ମୌସୁମୀ ଋତୁ ଆରମ୍ଭ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ, ବିଭିନ୍ନ କାରଣରୁ ମୌସୁମୀ ଋତୁରେ ୨୫୭ ଜଣଙ୍କ ମୃତ୍ୟୁ ଘଟିଛି।

୨୫୭ ଜଣଙ୍କ ମଧ୍ୟରୁ ୬୬ ଜଣଙ୍କର ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ମୃତ୍ୟୁ ଘଟିଛିି। ସଡ଼କ ଦୁର୍ଘଟଣା କିମ୍ବା ଅନ୍ୟାନ୍ୟ କାରଣରୁ ୧୯୧ ଜଣଙ୍କ ମୃତ୍ୟୁ ଘଟିଛି। ୩୨ ଜଣ ନିଖୋଜ ଥିବାବେଳେ ୨୯୦ ଜଣ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ରାଜ୍ୟରେ ୧୩୭୬ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୭୯୩୫ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି।

୨୭୦ ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି ଏବଂ ୨୭୨୭ ଟି ଗୋଶାଳା ନଷ୍ଟ ହୋଇଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ଏପର୍ଯ୍ୟନ୍ତ ୯୦ ଭୂସ୍ଖଳନ ଏବଂ ୫୫ ବନ୍ୟା ପରିସ୍ଥିତି ଦେଖାଦେଇଛି। ରାଜ୍ୟରେ ୨ଟି ଜାତୀୟ ରାଜପଥ ସମେତ ପ୍ରାୟ ୪୫୦ ରାସ୍ତା ବନ୍ଦ ରହିଛି। ୧୮୧୪ ବିଦ୍ୟୁତ ଯୋଗାଣ ଯୋଜନା ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଛି ଏବଂ ୬୯ ଜଳ ଯୋଗାଣ ଯୋଜନା ବାଧାପ୍ରାପ୍ତ ହୋଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଏହି ସମୟରେ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ସରକାର ରବିବାର ସୂଚନା ଦେଇଛନ୍ତି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଅଗଷ୍ଟ ୧୪ ପର୍ଯ୍ୟନ୍ତ ବନ୍ଦ ରହିଛି।

ପ୍ରବଳ ବର୍ଷା ଯୋଗୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅଗଷ୍ଟ ୧୪ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ଏବଂ କଲେଜକୁ ବନ୍ଦ ରଖିବାକୁ ଶିକ୍ଷା ସଚିବ ଏକ ବିଜ୍ଞପ୍ତି ଜାରି ହୋଇଛି।

 

 

Share