Categories: ଜାତୀୟ

ବିଦା ହେଲା ମୌସୁମୀ, ଏଥର ସାମାନ୍ୟରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୧୬।୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶରୁ ବିଦାୟ ନେଇଛି। ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବର ୧୫, ୨୦୨୪ରେ ମୌସୁମୀ ସମଗ୍ର ଦେଶରୁ ଆନୁଷ୍ଠାନିକ ଭାବେ ଫେରି ଯାଇଛି। ଏହାସହ ଉତ୍ତର-ପୂର୍ବ ମୌସୁମୀ ଉପଦ୍ୱୀପ ଭାରତର ଦକ୍ଷିଣ-ପୂର୍ବ ଭାଗକୁ ପ୍ରଭାବିତ କରିବା ଆରମ୍ଭ କରିଛି। ଏହି ପରିବର୍ତ୍ତନ ବାୟୁମଣ୍ଡଳୀୟ ବୈଶିଷ୍ଟ୍ୟଗୁଡିକ କାରଣରୁ ପାଣିପାଗର ଢାଞ୍ଚାଗୁଡ଼ିକୁ ଆକୃଷ୍ଟ କରିଥାଏ, ଏବଂ ବଙ୍ଗୋପସାଗରର ମଧ୍ୟ ଭାଗରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି, ଯେଉଁ କାରଣରୁ ଦକ୍ଷିଣ ରାଜ୍ୟଗୁଡ଼ିକ ପ୍ରବଳ ବର୍ଷା ଦେଖିବାକୁ ମିଳିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ମେ ୩୦ରେ କେରଳରେ ପହଞ୍ଚି ଜୁଲାଇ ୨ସୁଦ୍ଧା ସମଗ୍ର ଦେଶକୁ ଆଚ୍ଛାଦନ କରିଥିଲା। ଉତ୍ତର-ପଶ୍ଚିମ ଭାରତରୁ ଏହାର ଲେଉଟାଣି ୨୩ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିଲା । ସାଧାରଣତଃ, ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ ୧ ସୁଦ୍ଧା କେରଳରେ ପହଞ୍ଚି ଜୁଲାଇ ୮ ସୁଦ୍ଧା ଦେଶକୁ ଆଚ୍ଛାଦନ କରିଥାଏ, ଉତ୍ତର-ପଶ୍ଚିମ ଭାରତରୁ ଲେଉଟାଣି ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୧୫ସୁଦ୍ଧା ଶେଷ ହେବ। ଦେଶରେ ଚଳିତ ବର୍ଷ ୯୩୪.୮ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସାଧାରଣ ମୌସୁମୀ ତୁଳନାରେ ୮୬୮.୬ ମିଲିମିଟର ଅଟେ, ଯାହା୨୦୨୦ ପରଠାରୁ ସର୍ବାଧିକ।
ପାଣିପାଗ ବିଭାଗ ଅନୁଯାୟୀ, ବିଶେଷ ଭାବରେ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଦେଶରେ ସ୍ବାଭାବିକ ଅପେକ୍ଷା ୮ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି। ଜୁନ ଏବଂ ଜୁଲାଇରେ ସାଧାରଣ ଅପେକ୍ଷା ଦୁଇ ପ୍ରତିଶତ ଅଧିକ ବର୍ଷା ହୋଇଥିବାବେଳେ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ସ୍ବାଭାବିକ ଅପେକ୍ଷା ୧୨ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ଆଞ୍ଚଳିକ ଭାବେ, କେନ୍ଦ୍ରୀୟ ଭାରତରେ ସାଧାରଣ ଅପେକ୍ଷା ୧୯.୫ ପ୍ରତିଶତ ଅଧିକ, ଉପଦ୍ୱୀପ ଭାରତରେ ୧୪ ପ୍ରତିଶତ ଅଧିକ ବର୍ଷା ଏବଂ ଉତ୍ତର-ପଶ୍ଚିମ ଭାରତରେ ସାଧାରଣ ଅପେକ୍ଷା ୭ପ୍ରତିଶତ ଅଧିକ ବର୍ଷା ହୋଇଛି।
ତେବେ ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ଆଶା କରାଯାଉଥିବା ଠାରୁ ୧୪ ପ୍ରତିଶତ କମ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ କହିଛି। ଚଳିତ ବର୍ଷ ରାଜସ୍ଥାନ, ଗୁଜୁରାଟ, ପଶ୍ଚିମ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ସାଧାରଣ ବୃଷ୍ଟିପାତ ଅଧିକ ହୋଇଛି।

Share