ମୌସୁମୀର ଲୁଚକାଳି ଖେଳ: ଗଜା ମରୁଡ଼ି ଆଶଙ୍କା

ପଟ୍ଟାମୁଣ୍ଡାଇ, ୨୨।୬(ସ୍ବ.ପ୍ର.) ପାଣିପାଗ ବିଭାଗଜୁନ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ଥିବା ଓ ଏହାର ପ୍ରଭାବରେ ଭଲ ବର୍ଷା ହେବାର ଆକଳନ କରିଥିଲା। ଓଡ଼ିଶା ଛୁଇଁବା ପରେ ଦୁର୍ବଳ ହୋଇଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଥିଲେ ମଧ୍ୟ ମୌସୁମୀକୁ ଅଧିକ ସକ୍ରିୟ ହୋଇ ନ ଥିବାରୁ କେତେକ ଜିଲାରେ କମ୍‌ ବର୍ଷା ହୋଇଛି। ଜୁନ ମାସ ଶେଷ ହେବାକୁ ବସିଥିବାବେଳେ ବର୍ଷା ଅଭାବରୁ ବିଲବାଡି ସବୁ ଫାଟି ଅଁା କରିଛି। ଯେଉଁ ସବୁ ଚାଷଜମିରେ ବୁଣା ଧାନ ଓ ତଳି ପକାଯାଇଥିଲା, ତାହା ଗଜା ମରୁଡି ହେବାର ଆଶଙ୍କା ଦେଖା ଦେଇଛି। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡା ନ ଯିବାରୁ ଏହା ଉପରେ ନିର୍ଭର କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ ସମେତ ସମସ୍ତ ଶାଖା କେନାଲ, ମାଇନର କେନାଲ ଓ ପାଟ୍ଟନାଳୀଗୁଡିକ ଶୁଖିଲା ପଡିଛି। କାଳ ବୈଶାଖୀ ପ୍ରଭାବରେ କଁା ଭଁା ଅସରାଏ ବର୍ଷା ହେଲେ ହେଁ ତାହା ମାଟିକୁ ଓଦା କରୁନାହିଁ। ପାଣିପାଗ ବିଭାଗର ଆକଳନକୁ ଆଖି ଆଗରେ ରଖି ଚାଷୀମାନେ ଯେଉଁ ସବୁ ବିଲରେ ବୁଣା ଧାନ ଓ ତଳି ପକାଇଥିଲେ ସେଗୁଡିକ ନଷ୍ଟ ହେବାକୁ ବସିଲାଣି। ପଟ୍ଟାମୁଣ୍ଡାଇ ଅଞ୍ଚଳର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି। ଆଗାମୀ ସପ୍ତାହକ ମଧ୍ୟରେ ସ୍ବାଭାବିକ ଭାବେ ମୌସୁମୀ ବର୍ଷା ନ ହେଲେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।
କେନ୍ଦ୍ରାପଡା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ୯୦ ମୌଜାର ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ଚାଷ ଉପରେ ନିର୍ଭର କରୁଥିବା ୮୦ ଭାଗ ଲୋକ ଚାଷକାର୍ଯ୍ୟ ଆଗେଇ ନେବାକୁ ଚାତକ ପରି ବର୍ଷାକୁ ଅନେଇ ରହିଛନ୍ତି। ଉତିକଣ ଅଞ୍ଚଳରେ ଥିବା ଖଡିଅଣ୍ଟା, ଗଙ୍ଗାରାମପୁର, ଅରଡପଲ୍ଲୀ, ସାନଜରିଆ, ବଡମୋହନପୁର, ବଡପଡା, ଦିହୁଡିପୁର, ଦୋଷିଆ, ବିଲିକଣା, ଚନ୍ଦନନଗର, ଓଉପଦା, ଖଣତା, ସଂସାରଫଳ ଆଦି ପଞ୍ଚାୟତରେ ଚାଷଜମି ସବୁ ପଡିଆ ପଡିଥିବା ଦେଖିବାକୁ ମିଳିଛି। ସେହିପରି ନରସିଂହପୁର, ବଡମୂଳବସନ୍ତ, ଡିହାପଡା ଆଦି ପଞ୍ଚାୟତରେ ମଧ୍ୟ ଚାଷକାର୍ଯ୍ୟ ଆଗେଇ ପାରିନାହିଁ। ପୁନଃଶ୍ଚ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳରେ ଥିବା ଡାମରପୁର, ବଳଭଦ୍ରପୁର, ଶ୍ରୀରାମପୁର, ବାଛରା, ବାଲିପାଟଣା, ନୀଳକଣ୍ଠପୁର, ଅଳପୁଆ, ତରଡିପାଳ, ପେଣ୍ଠପାଳ, ଅଣ୍ଢରା, ଅମୃତମଣୋହି, ସିଂହଗଁା, ବଲୁରିଆ ଆଦି ଧୋୟାଞ୍ଚଳରେ ଥିବା ପଞ୍ଚାୟତଗୁଡିକରେ ମଧ୍ୟ ବର୍ଷା ଅଭାବରୁ ଚାଷକାର୍ଯ୍ୟ ଆଗେଇ ନାହିଁ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବେଲତଳ, ଦକ୍ଷିଣଦିଆ, ତାତନା, ମାଟିଆ, ଛାଉଣୀ, ବକ୍ତାରପୁର, ପ୍ରହରାଜପୁର, ପୋଖରୀଆପଡା ଆଦି ଗ୍ରାମରେ ମଧ୍ୟ ଚାଷକାର୍ଯ୍ୟ ଆରମ୍ଭ ହୋଇନାହିଁ। ପୌରାଞ୍ଚଳର ଧୋୟାଞ୍ଚଳରେ ଥିବା ଅଳଭା, ନୂଆଗଁା, କାକୁଡିପଲ୍ଲୀ, ବାଲିପଡା, ତଳବାଲିପଡା, ବଳଦେବନଗର, କଷଣଅଣ୍ଟା, ସିଦ୍ଧପାଟଣା, ବଙ୍ଗାଳିଦିଆ, ନନ୍ଦିନୀନଗର, ଷଣ୍ଢପଲ୍ଲୀ ଆଦି ଗ୍ରାମରେ ମଧ୍ୟ ବର୍ଷା ଅଭାବରୁ ଚାଷୀମାନେ ହାତ ବାନ୍ଧି ବସିଛନ୍ତି। ଅବିଳମ୍ବେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡା ନ ଗଲେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇପଡିବ ବୋଲି କୃଷକମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ କେତେକ ସ୍ଥାନରେ ଜଳସେଚନର ଭିତ୍ତିଭୂମି ଥିଲେ ମଧ୍ୟ ବୈଷୟିକ ତ୍ରୁଟି ପାଇଁ କେନାଲରେ ପାଣି ଆସିବା ସମ୍ଭବ ହୁଏନାହିଁ। ୬୦ ଦଶକରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘଟିଥିବା ମରୁଡି ଓ ପ୍ରାକୃତିକ ବିପର୍ଯ୍ୟୟକୁ ଆଖି ଆଗରେ ରଖି ତତ୍‌କାଳୀନ ଜଳସମ୍ପଦ ମନ୍ତ୍ରୀ ଶୈଳେନ୍ଦ୍ର ନାରାୟଣ ସିଂହଦେଓ କେନାଲ ଖନନ କରିବାର ବ୍ୟବସ୍ଥା କରିଥିଲେ। ପରବର୍ତ୍ତୀ ସମୟରେ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ସ୍ବର୍ଗତ ପ୍ରହଲ୍ଲାଦ ମଲିକ ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ। ଅଧିକାଂଶ କେନାଲ, ପାଟନାଳିଗୁଡିକ ପୋତି ହୋଇଯିବା ଫଳରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡା ଗଲେ ମଧ୍ୟ ବହୁ ଚାଷଜମିକୁ ପାଣି ମାଡିବା ନେଇ ସନ୍ଦେହ ଦେଖା ଦେଇଛି। ପୋତି ହୋଇପଡିଥିବା କେନାଲ ଓ ପାଟନାଳୀଗୁଡିକ ପୁନରୁଦ୍ଧାର କରାଯାଉନାହିଁ। ତେଣୁ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡାଗଲେ ମଧ୍ୟ ଶତାଧିକ ଏକର ଚାଷଜମିରେ ମଧ୍ୟ ଚାଷକାର୍ଯ୍ୟ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି। ଅପରନ୍ତୁ ମୌସୁମୀ ବର୍ଷାକୁ ଚାଷୀମାନେ ଚାହିଁ ରହିଥିବାବେଳେ ବର୍ଷା ନ ହେଲେ ଚଳିତବର୍ଷ ଚାଷକାର୍ଯ୍ୟ ଆଗେଇବା ନେଇ ସନ୍ଦେହ ପ୍ରକାଶ ପାଇଛି।

Share