୬ଜିଲାରେ ମୌସୁମୀ, ୩ ଦିନ କାଳବୈଶାଖୀ

ଭୁବନେଶ୍ୱର,୨୧।୬(ଅନୁରାଧା ମହାରଣା): ଧୀରେ ଧୀରେ ଆଗକୁ ବଢ଼ୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଗାମୀ ୨ଦିନ ମଧ୍ୟରେ ମୌସୁମୀ ଅଗ୍ରଗତି ହେବା ନେଇ ସ୍ଥିତି ଅନୁକୂଳ ରହିଛି। ପୂର୍ବରୁ ମୌସୁମୀ ମାଲକାନଗିରି, କୋରାପୁଟ, ନବରଗଙ୍ଗପୁର ଜିଲାକୁ ଛୁଇଁଥିବାବେଳେ ଗୁରୁବାର କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲାକୁ ପ୍ରବେଶ କରିଛି। ୨ଦିନ ଭିତରେ ସ୍ଥିତି ଅନୁକୂଳ ହେଲେ ଏହା ଅନ୍ୟ ଜିଲାକୁ ଅଗ୍ରସର ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଗୁରୁବାର ଅନୁଗୋଳ, ବାରିପଦା, ବୌଦ୍ଧ, ଝାରସୁଗୁଡ଼ା ଆଦି ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତେବେ ଆଗାମୀ ୩ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡା, ସୁନ୍ଦରଗଡ଼, ଦେବଗଡ଼ ଓ ରାୟଗଡ଼ାରେ ବିଜୁଳି ଘଡଘଡି ସହ ବର୍ଷା ଓ ପବନ ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ସମ୍ପୃକ୍ତ ଜିଲାଗୁଡ଼ିକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହିପରି କଟକ ଓ ଭୁବନେଶ୍ୱରରେ କାଳବୈଶାଖୀର ସମ୍ଭାବନା ସହ ଉଷ୍ମ ଓ ଆର୍ଦ୍ର ସ୍ଥିତି ଜାରି ରହିବ ବୋଲି କୁହାଯାଇଛି। ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ନ ହେଲେ ମଧ୍ୟ କାଳବୈଶାଖୀ ନେଇ ବିଭିନ୍ନ ଜିଲାକୁ ସତର୍କ ସୂଚନା ଦିଆଯାଇଛି।

Share