ଦକ୍ଷିଣ ଆଣ୍ଡାମାନରେ ମୌସୁମୀ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କିଛି ଅଂଶ, ନିକୋବର ଓ ଦକ୍ଷିଣ ଆଣ୍ଡାମାନ ଉପକୂଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଏ ନେଇ ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରପୋସ୍ପିୟର ତଳ ସ୍ତରରେ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହ ହେଉଥିବାରୁ ଗତ ୨୪ ଘଣ୍ଟା ମଧ୍ୟରେ ଉକ୍ତ ସ୍ଥାନଗୁଡ଼ିକରେ ବର୍ଷା ହେଉଛି। ଏଥିଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ନିକଟକୁ ଅଗ୍ରସର ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଚଳିତ ବର୍ଷ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ ବିଳମ୍ବ ହେବା ନେଇ ପୂର୍ବାନୁମାନ କରାଯାଉଛି। ଜୁନ୍‌ ୧୦ ବଦଳରେ ଆଉ ଏକ ସପ୍ତାହ ଗଡ଼ିଯିବା ସମ୍ଭାବନା ରହିଛି। ଜୁନ୍‌ ୧୫ ଯାଏ ରାଜ୍ୟରେ ତାତିର ପ୍ରକୋପ ଜାରି ରହିବ। ଏହି ସମୟରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ ରହିବା ନେଇ ପୂର୍ବାନୁମାନ କରାଯାଉଛି। ତାପମାତ୍ରା ନ କମିଲେ ରାଜ୍ୟକୁ ମୌସୁମୀ ପ୍ରବେଶ କରିବା ସମ୍ଭବ ହେବ ନାହିଁ। ଓଡ଼ିଶାକୁ ମୌସୁମୀ ଆସିବା ବେଳକୁ ଜୁନ୍‌ ୧୬ କିମ୍ବା ୧୭ ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି। ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ’ ୨୦ ତାରିଖ ସୁଦ୍ଧା ଆଣ୍ଡାମାନ, ନିକୋବର ଉପକୂଳକୁ ଆସିବା ବେଳେ ଜୁନ୍‌ ୩ରୁ ୪ ତାରିଖ ମଧ୍ୟରେ କେରଳ ଉପକୂଳକୁ ପ୍ରବେଶ କରିଥାଏ।
ଅନ୍ୟପକ୍ଷରେ ଗତ କିଛିଦିନ ହେବ ରାଜ୍ୟରେ ତାତି ସହିତ କାଳବୈଶାଖୀଜନିତ ବର୍ଷା ଜାରି ରହିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳରେ ଝଡ଼ବର୍ଷା ପରିବେଶକୁ ଥଣ୍ଡା କରି ଦେଉଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବାବେଳେ ସୋନପୁର ୪୩, ସମ୍ବଲପୁର ୪୩, ବୌଦ୍ଧ ୪୨.୮, ଝାରସୁଗୁଡ଼ା ୪୨.୬, ରାଉରକେଲା ୪୨.୨, ନୂଆପଡ଼ା, ୪୨, ବରଗଡ଼ ୪୨, ବାରିପଦା ୪୧, ଦେବଗଡ଼ ୪୧, ହୀରାକୁଦ ୪୦.୯, ତାଳଚେର ୪୦.୮, ଟିଟିଲାଗଡ଼ ୪୦.୫, ଭବାନୀପାଟଣା ୪୦.୫, ଫୁଲବାଣୀ ୪୦.୫, ଅନୁଗୋଳ ୪୦.୧ ଏବଂ ଭଦ୍ରକରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଖାଖୀଜନିତ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share