ଦିନେ ଦୁଇଦିନ ପରେ ଆସିପାରେ ମୌସୁମୀ

ଭୁବନେଶ୍ୱର,୨୧ା୬(ଅନିଲ ଦାସ): ଆସନ୍ତା ଦିନେ ଦୁଇ ଦିନ ଭିତରେ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ସମ୍ଭାବନା ରହିଛି । ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାର ରାଜ୍ୟର ଅନେକ ଅଞ୍ଚଳରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇଛି। ଏଥିସହ ସହ ମେଘୁଆ ପାଗ ରହୁଛି। ଗତ ୨/୩ ଦିନ ଭିତରେ କେତେକ ଜିଲାରେ ବର୍ଷା ପରିମାଣ ବୃଦ୍ଧି ପାଇଛି । ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଗତ ୪୮ ଘଣ୍ଟାରେ ସୁନ୍ଦରଗଡରେ ୨୧.୨ ମିଲିମିଟର ବର୍ଷା ହୋଇଥିବା ବେଳେ ଭବାନୀପାଟଣା ୨୫.୮, ଝାରସୁଗୁଡା ୧୦, କୋରାପୁଟ ୮.୧, ମାଲକାନାଗିରି ୩.୩, ନୂଆପଡା ୫.୨, ଯାଜପୁର ୪, ଭଦକ୍ର ୭ ଏବଂ ଦାରିଙ୍ଗିବାଡ଼ିରେ ୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇ ଆଗକୁ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଗୁରୁବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି।

Share