ଭୁବନେଶ୍ୱର,୧୩।୫(ବ୍ୟୁରୋ): ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ। ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତଦନୁଯାୟୀ ଜୁନ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟୁଇଟ କରି କହିଛି, ଚଳିତ ବର୍ଷ ୨୭ ମେ’ରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରାଯାଇଛି । ଏହା ସ୍ବାଭାବିକ ତାରିଖଠାରୁ ପୂର୍ବରୁ ଛୁଇଁପାରେ। ଏହି ଆକଳନରେ ମଡେଲ ଜନିତ ତ୍ରୁଟି ୪ ଦିନ ଆଗ/ପଛ ହେବାର ସମ୍ଭାବନା ରହିଛି।
ସେହିଭଳି ୨୦୨୨ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମେ’ ୧୫ ତାରିଖରେ ଆଣ୍ଡାମାନ ନିକୋବର ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରାଯାଇଛି।