୨୦ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର, ୧୫।୬(ଅନିଲ ଦାସ) ଆସନ୍ତା ୨୦ ତାରିଖ ମଧ୍ୟରେ ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ସମ୍ଭାବନା ରହିଛି। ଏ ନେଇ ପାଗ ଅନୁକୂଳ ହେଉଛି। ଗତ କିଛିଦିନ ଧରି ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ବାୟୁ ପ୍ରବାହ ହେଉଥିବା ବେଳେ ଦୁଇଦିନ ହେବ ଦକ୍ଷିଣ-ପଶ୍ଚିମ ଦିଗରୁ ବହୁଛି। ପାଗ ଅନୁକୂଳ ହେଉଥିବାରୁ ଆସନ୍ତା ୧୮ରୁ ୨୧ ମଧ୍ୟରେ ମୌସୁମୀ ପୂର୍ବ ଭାରତର କିଛି ଅଂଶକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ତାତି ସାମାନ୍ୟ ହ୍ରାସ ପାଇଛି। ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହୁଥିବାବେଳେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ତାତି ୨ରୁ ୩ ଡିଗ୍ରୀ ସେଲ୍‌ସିୟସ କମିିଛି। ଆସନ୍ତା ୫ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦିଆଯାଇଛି। ମଙ୍ଗଳବାର ଭଳି ବୁଧବାର ଉପକୂଳ ଜିଲାରେ ତାତି କମିଥିଲେ ମଧ୍ୟ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ଅଧିକାଂଶ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ତେବେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୪.୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୪୩.୭, ଝାରସୁଗୁଡ଼ା ୪୩.୬, ହୀରାକୁଦ ୪୩.୭, ଭବାନୀପାଟଣା ୪୩, ବୌଦ୍ଧ ୪୨.୮, ବଲାଙ୍ଗୀର ୪୨.୫, ଟିଟିଲାଗଡ଼ ୪୨.୫, ବରଗଡ଼ ୪୨.୨, ମାଲକାନଗିରି ୪୨, ସୁନ୍ଦରଗଡ଼ ୪୧.୩, ନୂଆପଡ଼ା ୪୧, ତାଳଚେର ୪୦.୬, ଅନୁଗୋଳ ୪୦.୧, ରାଉରକେଲା ୪୦, ନୟାଗଡ଼ ୪୦, ଫୁଲବାଣୀରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Share